ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଠିକ୍ ସମୟରେ କାମ ନ ସାରିଲେ ଜରିମାନା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଗରିବ ଓ ବାସହୀନମାନଙ୍କୁ ଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ଆସୁଥିବା ଘରଗୁଡ଼ିକୁ ବାସହୀନଙ୍କୁ ଯୋଗାଇ ଦେବା ପାଇଁ ନିୟମ ରହିଥିବାବେଳେ ଏଥିରେ ବ୍ୟାପକ ଅନିୟମିତତା କରାଯାଉଥିବା କେନ୍ଦ୍ର ସରକାରଙ୍କ ନଜରକୁ ଆସିଛି । ଏପରିକି କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆନଯାଇ ଧନୀକ ଶ୍ରେଣୀର ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି ।

ଏଥିସହ କେତେକ କ୍ଷେତ୍ରରେ ମଞ୍ଜୁର କରାଯାଇଥିବା ଆବାସଗୁଡ଼ିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହେଉନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ହେବା ପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି । ଏନେଇ ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯୋଜନାର ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ସମେତ ଆସାମ, ଛତିଶଗଡ଼ ଓ ବିହାର ଭଳି ରାଜ୍ୟ ବହୁ ପଛରେ ପଡ଼ିଯାଇଛନ୍ତି ।

ଏନେଇ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ନିର୍ଦ୍ଧାରିତ ସମୟରେ ଘର ନିର୍ମାଣ କାର୍ଯ୍ୟ ଶେଷ ନହେଲେ ଜରିମାନା ଲାଗୁ କରାଯିବ । କେନ୍ଦ୍ର ସରକାରଙ୍କ ଏଭଳି କଠୋର ଆଭିମୁଖ୍ୟ ଏହି ରାଜ୍ୟମାନଙ୍କ ପାଇଁ ଆଗାମୀ ଦିନରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି । ମଞ୍ଜୁରୀ ପର ଠାରୁ ଆବାସ ଆବଣ୍ଟନ ଯଦି ଗୋଟିଏ ମାସରୁ ଅଧିକ ବିଳମ୍ବ ହୁଏ ତେବେ ଏଥିାଇଁ ରାଜ୍ୟ ସରକାରଙ୍କୁ ୧୦ ଟଙ୍କାର ଜରିମାନା ଦେବାକୁ ପଡ଼ିବ ।

ଏହାପରେ ପ୍ରତ୍ୟେକ ମାସର ବିଳମ୍ବ ପାଇଁ ପ୍ରତି ମାସ ୨୦ ଟଙ୍କା ଲେଖାଏଁ ଜରିମାନା ପୈଠ କରିବାକୁ ହେବ । ଯଦି କୌଣସି ଆବାସ ପାଇଁ ସହାୟତା ରାଶି ମଞ୍ଜୁର ହୋଇଛି ଏବଂ ଏହା ପୈଠରେ ବିଳମ୍ବ ଘଟୁଛି ସେକ୍ଷେତ୍ରରେ ପ୍ରତି ସପ୍ତାହରେ ୧୦ ଟଙ୍କା ହିସାବରେ ହିତାଧିକାରୀଙ୍କୁ ପୈଠ କରିବାକୁ ପଡ଼ିବ । କେନ୍ଦ୍ରର ପାଣ୍ଠି ଉପଲବ୍ଧ ହେଉନଥିବା କ୍ଷେତ୍ରରେ ରାଜ୍ୟମାନଙ୍କ ଉପରେ ଜରିମାନା ଲାଗୁ କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଏବେ ୧୬ ଲକ୍ଷରୁ ଅଧିକ ହିତାଧିକାରୀ ଆବାସଗୃହ ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନେ କେନ୍ଦ୍ର ସରକାରଙ୍କ ଅବହେଳାର ଶୀକାର ହେଉଛନ୍ତି । ଗରିବ ଆଦିବାସୀଙ୍କୁ ଘର ଯୋଗାଇ ଦେବାରେ କେନ୍ଦ୍ର ସରକାର ପାତର ଅନ୍ତର କରୁଥିବା ଓଡ଼ିଶା ସରକାର ଅଭିଯୋଗ କରିଛନ୍ତି । ନିକଟରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ସାକ୍ଷାତ କରି ଆବଶ୍ୟକ ଆବାସ ମଞ୍ଜୁର କରିବା ପାଇଁ ଅନୁରୋଧ କରିବାବେଳେ କେନ୍ଦ୍ରମନ୍ତ୍ରୀ ଯେଉଁ ଉତ୍ତର ରଖିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

କେନ୍ଦ୍ରମନ୍ତ୍ରୀ ସିଧାସଳଖ କହିଥିଲେ ଯେ, ପିଏମ୍‌ଏୱାଇ ଯୋଜନାରେ ଓଡ଼ିଶାରେ ବ୍ୟାପକ ଅନିୟମିତତା ହୋଇଛି । ଯଦି ମୁଖ୍ୟମନ୍ତ୍ରୀ ଅନିୟମିତତା ହେବ ନାହିଁ ବୋଲି ଲେଖିକରି ଦେବେ ତେବେ ଘର ମଞ୍ଜୁର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।