ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: (ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଆଜି ସକାଳେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ସୂଚନା ଅନୁଯାୟୀ, ବିଷ୍ଣୁ ସେଠୀ ଗତ କିଛି ଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାସେ ହେଲା ଏମ୍‌ସ ମେଡିକାଲରେ ବିଷ୍ଣୁ ସେଠୀଙ୍କ ଚିକିତ୍ସା ଚାଲିଥିଲା ।

ବିଷ୍ଣୁ ସେଠୀ ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ବି ରାଜନୀତିରେ ତାଙ୍କ ଆଗ୍ରହ ଯୋଗୁଁ ସେ ଚାକିରିରେ ଯୋଗଦେଇନଥିଲେ । ପରେ ସେ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଦିନ୍‌ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିଲେ । ଆଉ ଦଳକୁ ସୁଦୃଢ କରିବାରେ ଲାଗିପଡିଥିଲେ । ୨୦୦୦-୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ସେହି ଆସନରୁ ସେ ପରାଜିତ ହୋଇଥିଲେ । ୨୦୦୬ରେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥିରେ ସେ ପରାଜିତ ହୋଇଥିଲେ । ଶେଷରେ ୨୦୧୯ରେ ଧାମନଗର ଆସନରୁ ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚେକ୍‌ ଦେଇ ବିଜୟୀ ହୋଇଥିଲେ । ଆଉ ବିଜେପି ଦଳ ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଷ୍ଣୁଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟପାଳ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ବିଷ୍ଣୁ ସେଠୀଙ୍କ ଭଳି ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଆମ ଗହଣରେ ଆଉ ନାହାନ୍ତି । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଖବର ବିଷୟରେ ଜାଣି ମୁଁ ଦୁଃଖିତ । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋରସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।