CulturalLatest

୪୩ ବର୍ଷ ମଧ୍ୟରେ ୫୩ ଥର ବିବାହ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭଲ ସାଥୀଟିଏ ପାଇବା ଏବଂ ତା ସହ ପୂରା ଜୀବନ ବିତାଇବା ପାଇଁ ଲୋକେ ଚାହିଁଥାନ୍ତି । ଯଦି ପ୍ରଥମ ପତ୍ନୀଙ୍କ ଦେହାନ୍ତ ଘଟେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଲୋକେ ଦ୍ୱିତୀୟ ବିବାହ କରିଥାନ୍ତି । ହେଲେ ଜଣେ ବ୍ୟକ୍ତି ୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି, ଯାହା ଏକ ରେକର୍ଡ । ଏତେ ସଂଖ୍ୟାରେ ବିବାହ କରିବାର କାରଣ ମଧ୍ୟ ବ୍ୟକ୍ତି ଜଣକ ଜଣାଇଛନ୍ତି । ବ୍ୟକ୍ତିଙ୍କ କହିବା କଥା ସେ ଶାନ୍ତିର ସନ୍ଧାନରେ ଗୋଟିଏ ପରେ ଗୋଟିଏ ବିବାହ କରି ଚାଲିଲେ । ସେ ଶାରୀରିକ ସୁଖ ନୁହେଁ ବରଂ ସ୍ଥିରତା ଏବଂ ମନର ଶାନ୍ତି ପାଇବା ଉଦ୍ଦେଶ୍ୟରେ ୫୩ ଥର ବିବାହ କରିଛନ୍ତି । ଏହି ଘଟଣା ଘଟିଛି ସାଉଦି ଆରବରେ ।

୬୩ ବର୍ଷୀୟ ଅବୁ ଅବଦୁଲ୍ଲାଙ୍କୁ ଶତାବ୍ଦୀରେ ସବୁଠୁ ଅଧିକ ବିବାହ କରିଥିବା ବ୍ୟକ୍ତି କୁହାଯାଏ । ଅବଦୁଲ୍ଲା କହିଛନ୍ତି, ମୁଁ ଦୀର୍ଘ ୫୩ ମହିଳାଙ୍କୁ ବିବାହ କରିଛି । ମୁଁ ୨୦ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲି ଏବଂ ମହିଳା ଜଣଙ୍କ ମୋଠୁ ଛଅ ବର୍ଷ ବଡ ଥିଲେ । ସେ କହିଛନ୍ତି, ଯେବେ ମୁଁ ପ୍ରଥମ ବିବାହ କଲି, ସେହି ସମୟରେ ଏତେ ମହିଳାଙ୍କ ସହ ବିବାହ କରିବାର କୌଣସି ଯୋଜନା ନଥିଲା । ହେଲେ କିଛି ବର୍ଷ ପରେ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଅବଦୁଲ୍ଲା ୨୩ ବର୍ଷ ବୟସରେ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ନିଜର ପ୍ରଥମ ପତ୍ନୀଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲେ । ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀଙ୍କ ମଧ୍ୟରେ ବିବାଦ ହେବାରୁ ଅବଦୁଲ୍ଲା ତୃତୀୟ ଏବଂ ଚତୁର୍ଥ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲ । ପରେ ସେ ନିଜର ପ୍ରଥମ ଦୁଇ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ।

ଅବଦୁଲ୍ଲା କହିଛନ୍ତି, ତାଙ୍କର ଅନେକ ବିବାହ କରିବାର କାରଣ ସେ ଏମିତି ଜଣେ ମହିଳାଙ୍କ ସନ୍ଧାନରେ ଥିଲେ ଯିଏ ତାଙ୍କୁ ଖୁସିରେ ରଖି ପାରିବେ । ତାଙ୍କୁ ଶାରୀରିକ ସୁଖ ଦରକାର ନାହିଁ । ସେ ନିଜର ସମସ୍ତ ପତ୍ନୀଙ୍କ ପ୍ରତି ନିରପେକ୍ଷ ରହିବାକୁ ପୂରା ଉଦ୍ୟମ କରିଛନ୍ତି । ତାଙ୍କର ସବୁଠୁ ଛୋଟ ବୈବାହିକ ଜୀବନ ଗୋଟିଏ ରାତି ଯାଏଁ ଥିଲା । ୬୩ ବର୍ଷୀୟ ଅବଦୁଲ୍ଲା ଅଧିକାଂଶ ସାଉଦି ମହିଳାଙ୍କୁ ବିବାହ କରିଥିଲେ । ହେଲେ ବିଦେଶରେ ନିଜର ବିଜନେସ୍ ଟ୍ରିପ ସମୟରେ ସେ ବିଦେଶୀ ମହିଳାଙ୍କୁ ବିବାହ କରିଥିବା କଥା ସ୍ୱୀକାର କରିଛନ୍ତି ।

ସେ କହିଛନ୍ତି, ବିବାହ ପରେ ଜଣେ ପତ୍ନୀ ସହ ତିନିରୁ ଚାରି ମାସ ଯାଏଁ ରହୁଥିଲି । ମୁଁ ନିଜକୁ ସର୍ବଦା ଖରାପରୁ ବଞ୍ଚାଇବା ପାଇଁ ବିବାହ କରିଥିଲି । ଦୁନିଆରେ ପ୍ରତିଟି ପୁରୁଷଙ୍କ ଇଚ୍ଛା ଏମିତି ଜଣେ ମହିଳା ତାଙ୍କୁ ମିଳନ୍ତୁ ଯିଏ ଜୀବନର ସବୁ ସମୟରେ ନିଜ ପାଖରେ ଥିବେ । ସ୍ଥିରତା ଜଣେ ଯୁବ ମହିଳାଙ୍କ ସହ ରହେନି ବରଂ ଜଣେ ବଡ ମହିଳାଙ୍କ ସହିତ ମିଳିଥାଏ । ଏବେ ସେ ଆଉ ଜଣେ ମହିଳାଙ୍କ ସହ ବିବାହ କରିଛନ୍ତି ଏବଂ ପରବର୍ତ୍ତୀ ବିବାହର କୌଣସି ଯୋଜନା ନାହିଁ ବୋଲି ଅବଦୁଲ୍ଲା କହିଛନ୍ତି ।