ମଦ୍ୟପାନ କରି ଫସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ : (ସଂକେତ୍ ଟିଭି) ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ସେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଜର୍ମାନରେ ଫ୍ରାଙ୍କପର୍ଟ ବିମାନ ବନ୍ଦରରେ ତାଙ୍କୁ ଓହ୍ଲାଇ ଦିଆଯାଇଥିବା ଶିରୋମଣି ଅକାଳୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବଦଲ କହିଛନ୍ତି ଯେ ଆପ୍‌ ପକ୍ଷରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ବାବଦରେ ସ୍ପଷ୍ଟୀକରଣ ଦିଆଯାଉ ।

ଶ୍ରୀ ବାଦଲ କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଉଲ୍ଲେଖ କରି କହିଛନ୍ତି ଯେ ଭଗୱନ୍ତ ମାନ୍‌ ଆପ୍‌ର ଜାତୀୟ ସମ୍ମିଳନୀରେ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ଯେଉଁ ଘଟଣା ଘଟିଲା ଏହା ପଞ୍ଜାବୀମାନଙ୍କୁ ସମଗ୍ର ବିଶ୍ୱରେ ଲଜ୍ଜିତ କରିଛି । ଶ୍ରୀ ମାନ୍‌ ଏତେ ପରିମାଣର ମଦ୍ୟପାନ କରିଥିଲେ ଯେ ସେ ଚାଲିବାକୁ ଅସମର୍ଥ ହୋଇଥିଲେ । ତାଙ୍କ ସହଯାତ୍ରୀମାନେ ଏହିଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ ଲାଗି ବିମାନ ୪ ଘଣ୍ଟା ବିଳମ୍ବ ହୋଇଥିଲା ।

ଶ୍ରୀ ବାଦଲ ଟ୍ୱିଟ୍‌ କରି ଏ ସମ୍ପର୍କରେ ପଞ୍ଜାବ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । ଏକ ଇଂରାଜୀ ସମ୍ବାଦପତ୍ରରେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ପ୍ରକାଶ ପାଇଛି । ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିବା ଜଣେ ବ୍ୟକ୍ତି ଭଗୱନ୍ତ ମାନ୍‌ଙ୍କ ସହ ଏହି ବିମାନରେ ଯାତ୍ରା କରୁଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ମାନ୍‌ ପ୍ରଚୁର ମଦ ପିଇଥିଲେ । ସେ ଠିଆ ହେବାପାଇଁ ସକ୍ଷମ ହୋଇନଥିଲେ । ଫଳରେ ବିମାନ ୩ ଘଣ୍ଟା ବିଳମ୍ବ ହୋଇଥିଲା । ତେବେ ଆପ୍‌ ପକ୍ଷରୁ ମଲୁ୍ୟନ୍ଦର ସିଂ କାଙ୍ଗ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏହାକୁ ଏକ ଗୁଜବ କହିଛନ୍ତି ।

ସେ କହିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଠିକ୍‌ ସମୟରେ ଦିଲ୍ଲୀ ଫେରିଛନ୍ତି । ଜର୍ମାନରେ ସେ ସେପ୍ଟେମ୍ବର ୧୮ରେ ବିମାନରେ ଚଢ଼ିଥିଲେ ଓ ସେପ୍ଟେମ୍ବର ୧୯ରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।