୨୦୨୪ ପାଇଁ ଓଡିଶାରେ ବିଜେଡି, ବିଜେପି, କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ବର : (ସଂକେତ୍ ଟିଭି) ୨୦୨୪ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଦେଇଛନ୍ତି । ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ଏବେଠାରୁ ମୁହାଁମୁହିଁ ହେଲେଣି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ଓଡ଼ିଶା ଫେରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବୟାନ ପରେ ରାଜ୍ୟ ରାଜନୀତି ପୁଣି ଉଷ୍ମ ହୋଇଛି ।

ଶ୍ରୀ ମିଶ୍ର କହିଛନ୍ତି, ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି, ଫସଲ ହେବ, ୨୦୨୪ରେ ଫସଲ କାଟିବୁ । ଜୋରଦାର ଲଢେଇ ହେବ, ୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ । ତାଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବିଜେଡି ଓ କଂଗ୍ରେସ । ବିଜେପିର ଫାୟାର ବ୍ରିଗେଡ ନେତା ଭାବେ ଜଣାଶୁଣା ଜୟନାରାୟଣ ୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆଉ ଏଭଳି ଦମ୍ଭୋକ୍ତି ପଛରେ ରହିଛି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଜୟନାରାୟଣଙ୍କ ଭେଟଘାଟ । ଦୀର୍ଘ ୧ ଘଣ୍ଟାର ଆଲୋଚନାରେ ଓଡ଼ିଶା ବିଜେପିର ସ୍ଥିତି ବାବଦରେ ଅବଗତ କରିଛନ୍ତି ଜୟନାରାୟଣ । ଆଉ ଏହି ସ୍ଥିତିରେ ସୁଧାର ଆଣି କିଭଳି ସରକାର ଗଢାଯିବ ସେନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଠାରୁ ମିଳିଛି ସହଯୋଗର ପ୍ରତିଶ୍ରୁତି ।

ସେ କହିଛନ୍ତି ଧାନ ଅମଳ ଭଳି ସରକାର ଗଢିବାକୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବାକୁ ହୁଏ ଆଉ ଏବେ ଆମେ ମଧ୍ୟ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢୁଛୁ । ଏବେ ବିଲରେ ସାର ସିଞ୍ଚ ନ ହେଉଛି, ୨୦୨୪ରେ ଫସଲ କଟାହେବ । ଓଡ଼ି଼ଶାର ରାଜନୈତିକ ସ୍ଥିତି ବାବଦରେ ଦିଲ୍ଲୀର ଶୀର୍ଷ ନେତୃତ୍ୱ ଅବଗତ ଅଛନ୍ତି । ତେଣୁ ଆଗକୁ ଓଡ଼ି଼ଶାରେ ସଙ୍ଗଠନକୁ କିଭଳି ମଜବୁତ କରାଯିବ ଓ ମିଶନ-୨୦୨୪ ପାଇଁ ଋଣନୀତି ପ୍ରସ୍ତୁତ ହେବ ସେ ବାବଦରେ ଶାହା ଓ ନଡ୍ଡାଙ୍କ ଠାରୁ ପରାମର୍ଶ ନିଆଯିବ ବୋଲି କହିଛନ୍ତି ।

ଜୟନାରାୟଣଙ୍କ ଏଭଳି ଦମ୍ଭୋକ୍ତି ବିଜେପି ଶିବିରରେ ଉତ୍ସାହ ଭରିଛି । କାରଣ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଯାହା ବିଜେପିର ସାଙ୍ଗଠନିକ ଦକ୍ଷତା ଓ ୨୦୨୪ ପାଇଁ ଦେଖୁଥିବା ସ୍ୱପ୍ନ ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଥିଲା ।

ଜୟନାରାୟଣଙ୍କ ଏଭଳି ଦମ୍ଭୋକ୍ତିକୁ ବାଏଁ ବାଏଁ ଉଡାଇ ଦେଇଛି ବିଜେଡି । ଦଳର ବିଧାୟକ ସରୋଜ ମେହେର କହିଛନ୍ତି, ୨୦୧୯ରେ ମଧ୍ୟ ମିଶନ ୧୨୦ ସ୍ୱପ୍ନ ଦେଖିଥିଲେ, ଫଳାଫଳ କ’ଣ ହେଲା । ୨୦୨୪ ପାଇଁ କେବଳ ବାହାସ୍ପୋଟ ମାରିବା ସହ ଦିବାସ୍ୱପ୍ନ ଦେଖୁଛି ବିଜେପି । ନବୀନ ପଟ୍ଟନାୟକଙ୍କ ଉପରେ ହିଁ ରାଜ୍ୟବାସୀଙ୍କ ଆଶା ଓ ବିଶ୍ୱାସ ରହିଛି ।

ଅନ୍ୟତମ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ନିକଟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଫଳାଫଳ କ’ଣ ହୋଇଛି ସମସ୍ତେ ଜାଣିଛନ୍ତି । ସେହିରି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଲୋକେ ଭୋଟ ଦେଇଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କୁ ନିଶ୍ଚୟ ସମର୍ଥନ ଜଣାଇବେ ।

ଜୟନାରାୟଣଙ୍କ ଦମ୍ଭୋକ୍ତିକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି, ସାର କିଏ ବୁଣିବ ଓ ଧାନ କିଏ କାଟିବ ତାହା ୨୦୨୪ରେ ଜଣାପଡିବ । ଧାନ ଗଛ ତ ରହିବନି, ବିଜେପି ଧାନ କଣ କାଟିବ? ଏଭଳି ତୁ ତୁ ମେଁ ମେଁ ଭିତରେ ୨୦୨୪ ପାଇଁ ଏବେଠୁ କମର କଷିଲେଣି ରାଜ୍ୟର ୩ ପ୍ରମୁଖ ଦଳ । କଂଗ୍ରେସ ଓଡ଼ିଶାରେ ଭାରତ ଯୋଡ ଯାତ୍ରା କରି ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ଅନ୍ୟପଟେ ଶାସକ ବିଜେଡି ଓ ବିରୋଧୀ ବିଜେପି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ତୁଙ୍ଗ ନେତାଙ୍କୁ ଗୁରୁଦାୟିତ୍ୱ ଦେଇ ସଙ୍ଗଠନକୁ ତୃଣମୂଳସ୍ତରରେ ଆହୁରି ଶକ୍ତିଶାଳୀ କରି ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛନ୍ତି ।