ସରିବାକୁ ବସିଲାଣି ମାଗଣା ଟିକା ପ୍ରଦାନ ଅବଧି, ରାଜ୍ୟରେ ଟିକାର ଅଭାବ

ଭୁବନେଶ୍ୱର : (ସଂକେତ୍ ଟିଭି) ମାଗଣା ଟିକା ପ୍ରଦାନ ଅବଧି ସରିବାକୁ ଆଉ ମାତ୍ର ୧୦ ଦିନ ବାକି ଅଥଚ ଓଡ଼ିଶାକୁ କେନ୍ଦ୍ର ଦେଉନି ଆବଶ୍ୟକ ବୁଷ୍ଟର ଡୋଜ ଟିକା । ଲୋକେ ବୁଷ୍ଟର ଟିକା ନେବାକୁ ଅଧିକ ଆଗ୍ରହ ପ୍ରକାଶ କଲାବେଳେକୁ ରାଜ୍ୟରେ ଟିକା ସରିବାକୁ ବସିଲାଣି ତୁରନ୍ତ ୧୫ ଲକ୍ଷ ଟିକା ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କେନ୍ଦ୍ର ତୁରନ୍ତ ଟିକା ନ ପଠାଇଲେ ଦୁଇଦିନରେ ସରିଯିବ । ଫଳରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ଟିକା ପ୍ରଦାନ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ । ତୁରନ୍ତ ୧୫ ଲକ୍ଷ ଟିକା ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରେ ଜୁଲାଇ ୧୫ ତାରିଖରୁ ୭୫ ଦିନ ପାଇଁ ସାରା ଦେଶରେ ୧୮ରୁ ୫୯ ଓ ତଦୁର୍ଦ୍ଧ ବ୍ୟକ୍ତିଙ୍କୁ ମାଗଣା ପ୍ରୋଟକ୍‌ସନ୍ ଟିକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଓଡ଼ିଶାରେ ଏବେସୁଦ୍ଧା ୧୮ରୁ ୫୯ ବର୍ଷ ଭିତରେ ୮୫ ଲକ୍ଷ ୭୫ ହଜାର ୮୫୮ ଜଣ ବ୍ୟକ୍ତି ଟିକା ନେଇଥିବାବେଳେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମିଶାଇ ମୋଟ ୧ କୋଟି ୭ ଲକ୍ଷ ୪୭ ହଜାର ୫୪୩ ଜଣ ତୃତୀୟ ଡୋଜ୍ ନେଇଛନ୍ତି । ଯାହାକି ମୋଟ ୩୩ ପ୍ରତିଶତ ଆଉ ୬୭ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେବାକୁ ବାକି ଅଛନ୍ତି ।

କୋଭିଡ ମହାମାରୀ ବିରୋଧରେ ଲୋକଙ୍କୁ ଇମ୍ୟୁନାଇଜ କରିବା କ୍ଷେତ୍ରରେ ଓଡ଼ିଶା ସରକାର ଦେଶରେ ଆଗୁଆ ସ୍ୱର ଉତ୍ତୋଳନ କରିଥିଲେ । ମହାମାରୀ ଦାଉରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଗୋଟିଏ ସମୟରେ ନିଜେ ଟିକା କିଣି ପ୍ରଦାନ କରିବାକୁ ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ପ୍ରୋଟେକ୍‌ସନ୍ ଡୋଜ୍ ନେବାକୁ ଲୋକେ ଭିଡ ଜମାଉଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ଆବଶ୍ୟକ ଟିକା ନ ଦେଲେ ରାଜ୍ୟର ଅଧିକାଂଶ ଲୋକ ବୁଷ୍ଟର ଡୋଜେ ନେବାରୁ ବଞ୍ଚିତ ହେବେ । କେନ୍ଦ୍ର ସରକାର ଏଥିରେ ଆଉ କାଳ ବିଳମ୍ବ ନ କରି ତୁରନ୍ତ ଟିକା ପଠାଇବାକୁ ଦାବି କରିଛନ୍ତି ଚିକିତ୍ସକ ।

ସ୍ୱାସ୍ଥ୍ୟ ବିଭାଗର ହିସାବ ଅନୁଯାୟୀ, ରାଜ୍ୟରେ ମୋଟ ୭ କୋଟି ୮୮ ଲକ୍ଷ ୨୬ ହଜାର ୭୯୪ଟି ଟିକା ପ୍ରଦାନ କରାଗଲାଣି । ୯୭ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ବାବଦରେ ୩ କୋଟି ୫୨ ଲ ୧୯ ହଜାର ୮୩୨, ୯୦ ପ୍ରତିଶତ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ବାବଦରେ ୩ କୋଟି ୨୮ ଲକ୍ଷ ୫୯ ହଜାର ୪୧୯ଟି ଡୋଜ୍ ପ୍ରଦାନ କରାଯାଇଛି । ଯଦି କେନ୍ଦ୍ର ତୁରନ୍ତ ଆବଶ୍ୟକ । ଟିକା ନ ପଠାଏ ତାହେଲେ ୬୭% ଲୋକ ବୁଷ୍ଟର ଡୋଜ୍ ଟିକା ପ୍ରଦାନରୁ ବଞ୍ଚିତ ହେବେ । ଆଉ ଏଥିପାଇଁ ଦାୟୀ ରହିବେ କେନ୍ଦ୍ର ସରକାର ।