କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଅକ୍ଟୋବର ୧୭ ତାରିଖରେ କରାଯିବ । ଏଥିନେଇ ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ଦ୍ବାରା ପରିଚାଳିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି ।

ଏହି ନିର୍ବାଚନ ନିମନ୍ତେ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ସମୟ ଦିଆଯାଇଛି। ପ୍ରୟୋଜନ ହେଲେ, ଅକ୍ଟୋବର ୧୭ ତାରିଖ ଦିନ ଭୋଟ୍‌ ଗ୍ରହଣ ଓ ଅକ୍ଟୋବର ୧୯ ତାରିଖ ଦିନ ଭୋଟ୍‌ ଗଣନା କରାଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ବିଜ୍ଞପ୍ତି ଅନୁସାରେ, ୨୪ରୁ ସେପ୍ଟେମ୍ବର ୩୦ ସୁଦ୍ଧା (ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା) ପ୍ରାର୍ଥୀପତ୍ର ଦାଖଲ ଏବଂ ଅକ୍ଟୋବର ୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ସନ୍ଧ୍ୟା ବେଳକୁ କାଏମ୍‌ ଥିବା ପ୍ରାର୍ଥୀପତ୍ରର ତାଲିକା ପ୍ରକାଶ କରାଯିବ। ଯଦି ଏକାଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରନ୍ତି, ତେବେ ଅକ୍ଟୋବର ୧୭ରେ ସଭାପତି ପଦ ପାଇଁ ମତଦାନ ହେବ । ଏହା ପରେ ଅକ୍ଟୋବର ୧୯ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ ।

ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ବରିଷ୍ଠ ନେତା ଶଶି ଥରୁର ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଜୋର ଧରିଛି । ଶଶୀ ଥରୁର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ତାଙ୍କ ପ୍ରାର୍ଥୀତ୍ବକୁ ଗ୍ରୀନ ସିଗନାଲ ମିଳିଥିବା ଚର୍ଚ୍ଚା ହେଉଛି ।

ଗେହଲଟ କହିଛନ୍ତି ଯେ, ”ପାର୍ଟି ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବି । କିନ୍ତୁ ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ହେବାକୁ ମନାଇବା ପାଇଁ ଶେଷ ପ୍ରୟାସ ମଧ୍ୟ କରିବି ।”

ଅନ୍ୟପଟେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ସଙ୍କେତ ଦେଇଥିବା ଲୋକସଭା ସାଂସଦ ଶଶି ଥରୁର ବୁଧବାର କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୂସୁଦନ ମିସ୍ତ୍ରୀଙ୍କ ସହ ସାକ୍ଷତ କରିବା ସହ ନାମାଙ୍କନ ପ୍ରକ୍ରିୟା ସମ୍ପର୍କରେ ସୂଚନା ହାସଲ କରିଛନ୍ତି । ତେବେ ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ମନା କରିବା ପରେ ଏହି ଦୁଇ ବରିଷ୍ଠ ନେତାଙ୍କ ବ୍ୟତୀତ ଅନ୍ୟ କିଛି ନେତା ମଧ୍ୟ ନିର୍ବାଚନ ଲଢିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।