ଦୁର୍ବଳ ହେଲା ଭାରତୀୟ ମୁଦ୍ରା, ଡଲାର ତୁଳନାରେ ଟଙ୍କା ୮୧ ପାର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଗୋଟିଏ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୧ ପାର କରି ଯାଇଛି । ଡଲାର ତୁଳନାରେ ଭାରତୀୟ ମୁଦ୍ରା ଧିରେ ଧିରେ ଅଧିକ ଦୁର୍ବଳ ହେଉଥିବାବେଳେ ଏହା ହେଉଛି ଟଙ୍କାର ସର୍ବ ନିମ୍ନ ସ୍ତର ।

ଆମେରିକୀୟ ବ୍ୟାଙ୍କରେ ସୁଧ ହାର ବଢିବା, ରୁଷ-ୟୁକ୍ରେନ୍ ସଙ୍କଟ ଏବଂ ମୁଦ୍ରାସ୍ଫିତୀ ରୋକିବାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ନେଉଥିବା କଠୋର ପଦକ୍ଷେପ ଭାରତୀୟ ମୁଦ୍ରା ଦୁର୍ବଳ ହେବା ପଛରେ ବଡ କାରଣ ବୋଲି କୁହାଯାଉଛି ।

ଫେଡେରାଲ ରିଜର୍ଭ ସୁଧହାରରେ ୭୫ ବେସିସ୍‌ ପଏଣ୍ଟ ବଢ଼ାଇବା ସହ ଆଗକୁ ଆହୁରି ବୃଦ୍ଧିର ସଙ୍କେତ ଦେଇଛି। ଏଥିଯୋଗୁ ଡଲାର ଇଣ୍ଡେକ୍ସ ଆହୁରି ଉପରକୁ ଉଠିବ। ଫଳରେ ଭାରତୀୟ ଟଙ୍କା ସମେତ ଅଧିକାଂଶ ବଡ଼ ମାର୍କେଟ କରେନ୍ସି ଉପରେ ଚାପ ସୃଷ୍ଟି ହେବ। ଟଙ୍କାର ଅଧଃପତନକୁ ଦେଖିଲେ ଭାରତୀୟ ବଜାର ନିଜ ଆକର୍ଷଣ ହରାଉଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ଆକ୍ସିସ୍‌ ସିକ୍ୟୁରିଟିଜ୍‌ର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଅଫିସର ନବୀନ କୁଲକର୍ଣ୍ଣୀ କହିଛନ୍ତି ।

ଘରୋଇ ଆର୍ଥିକ ଅଭିବୃଦ୍ଧି ସତ୍ତ୍ୱେ ଭାରତୀୟ ଟଙ୍କା ଚାପରେ ରହିବ। ପୂର୍ବ ଶେସନ୍‌ରେ ଡଲାର ପିଛା ଟଙ୍କାର ବିନିମୟ ମୂଲ୍ୟ ୭୯.୯୭୫୦ ରହିଥିଲା। କିନ୍ତୁ ଫେଡ୍‌ ସୁଧହାର ବୃଦ୍ଧି ଘୋଷଣା କରିବା ପରେ ଏହା ୮୦.୫୮ରେ ପହଞ୍ଚତ୍ ଆଗକୁ ଆହୁରି ଅସ୍ଥିର ହେବା ନେଇ ସଙ୍କେତ ଦେଇଥିଲା। ଟଙ୍କା ଭବିଷ୍ୟତରେ ଆହୁରି ଦୁର୍ବଳ ହେବ। ନିମ୍ନଗାମୀ ଟଙ୍କାକୁ ଅଣ୍ଟା ସଳଖି ଛିଡ଼ା କରାଇବା ପାଇଁ ଆର୍‌ବିଆଇ ପ୍ରଭାବୀ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ବୋଲି ସ୍ବସ୍ତିକ ଇନ୍‌ଭେଷ୍ଟମେଣ୍ଟର ଗବେଷଣା ମୁଖ୍ଯ ସନ୍ତୋଷ ମୀନା କହିଛନ୍ତି ।