ବୈଜ୍ଞାନିକଙ୍କ ଚେତାବନୀ, ଶୁଖିଯିବ ଗଙ୍ଗା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ହିନ୍ଦୁ ପରମ୍ପରାରେ ଗଙ୍ଗା ନଦୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଗଙ୍ଗାଜଳକୁ ସବୁଠାରୁ ପବିତ୍ର ଜଳ ବୋଲି ବିବେଚନା କରାଯାଏ । ଗଙ୍ଗାରେ ବୁଡ଼ ପକାଇବା ପାଇଁ ଲୋକଙ୍କ ଭିଡ଼ ଜମେ । ସବୁ ପାପରୁ ଗଙ୍ଗା ଜଳ ମୁକ୍ତି ଦିଏ ବୋଲି ବିଶ୍ୱାସ ମଧ୍ୟ ରହିଛି । ଭାରତର ସବୁ ହିନ୍ଦୁଙ୍କ ଘରେ ଗଙ୍ଗାଜଳ ରଖାଯାଇଥାଏ । ପୂଜା ପର୍ବ ଠାରୁ ଆରମ୍ଭ କରି ସବୁ ଶୁଭକର୍ମରେ ଏହି ଜଳର ବ୍ୟବହାର କରାଯାଇଥାଏ ।

ଗଙ୍ଗାଜଳ ବିନା ଅନେକ ପର୍ବ ଅଧୂରା ମଧ୍ୟ ରହିଥାଏ । ହିନ୍ଦୁ ପରିବାର ଗଙ୍ଗାତଟରେ ଅସ୍ଥି ବିସର୍ଜନ ସହ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଏପରିକି ହିନ୍ଦୁମାନେ ଗଙ୍ଗାକୁ ମା’ବୋଲି ଭାବିଥାନ୍ତି । ମୃତ୍ୟୁଶଯ୍ୟାରେ ଗଙ୍ଗାପାଣି ଦେଲେ ମୋକ୍ଷ ମିଳେ ବୋଲି ବିଶ୍ୱାସ ମଧ୍ୟ ରହିଛି । ତେବେ ସେହି ଗଙ୍ଗା ନଦୀ ଏବେ ବିପଦରେ । ଗଙ୍ଗୋତ୍ରୀ ଗ୍ଲାସିୟର ସମ୍ପୂର୍ଣ୍ଣ ଭାବେ ତରଳିଯିବ ଓ ଆଗକୁ ଏହା ଶୁଖିଯିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ଗଙ୍ଗାନଦୀ ଉପରେ ପଡ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି । ଡେରାଡୁନ୍‌ସ୍ଥିତ ୱାଡିହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହିମାଳୟନ ଜିଓଲୋଜିର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରାଜେଶ ଭାମ୍ବିର କହିଛନ୍ତି ଯେ, ଦ୍ରୁତ ଗତିରେ ଗଙ୍ଗୋତ୍ରୀ ଗ୍ଲାସିୟର ତରଳୁଛି । ଯେଉଁ କାରଣରୁ ଗଙ୍ଗା ଓ ଏହାର ଶାଖାନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଗକୁ ଏହା ସମ୍ପୂର୍ଣ୍ଣ ଶୁଖିଯିବ ବୋଲି ସେ କହିଛନ୍ତି ।

ଏକ ଗବେଷଣାରୁ ଜଣାପଡ଼ିଛି ଯ, ୧୯୩୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଗଙ୍ଗୋତ୍ରୀ ଗ୍ଲାସିୟର୍‌ର ପ୍ରାୟ ୨ କି.ମି. ତରଳି ଯାଇଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହି ଗ୍ଲାସିୟର ଆଉ କେବେ ତିଆରି ହୋଇପାରିବ ନାହିଁ । ଫଳରେ ଗ୍ଲାସିୟର ତରଳିବା ସହ ସ୍ରୋତ ପ୍ରବାହ କ୍ରମଶଃ ହ୍ରାସ ପାଇବ । ଡକ୍ଟର ଭାମ୍ବିର ଆହୁରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇଥିବାବେଳେ ମାନବ ସମାଜ ମଧ୍ୟ କିଛ ଅଂଶରେ ଦାୟୀ ।

୨୫ଶହ କି.ମି. ଲମ୍ବ ଗଙ୍ଗାନଦୀ ୪୦ କୋଟି ଲୋକଙ୍କୁ ପାଣି ଯୋଗାଇ ଆସୁଛି । ଗଙ୍ଗୋତ୍ରୀ ଗ୍ଲାସିୟର୍‌ ଉପରେ ଗଙ୍ଗନଦୀକୁ ଜଳସ୍ରୋତ ଆସେ । ତେବେ ଦ୍ରୁତ ଗତିରେ ଗ୍ଲାସିୟର ତରଳୁଥିବା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି ଏବଂ ସମୟ ଅନୁସାରେ ଆଗକୁ ଗଙ୍ଗା ସମ୍ପୂର୍ଣ୍ଣ ଶୁଖିଯିବାର ଆଶଙ୍କା ଦେଖାଯାଇପାରେ । ଏହି ଗ୍ଲାସିୟର ତରଳିବା ପଛରେ ତାପମାତ୍ରା ବୃଦ୍ଧି ଓ କମ୍ ତୁଷାରପାତ ତଥା ଅଧିକ ବର୍ଷା ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଗଙ୍ଗୋତ୍ରୀ ଗ୍ଲାସିୟର୍‌ର ଲମ୍ବ ହେଉଛି ୩୦ କି.ମି. । ଗତ ୮୭ ବର୍ଷ ଭିତରେ ଏହା ୧୭ଶହ ମିଟର ତରଳିଯାଇଛି । ତେଣୁ ଏନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି ।