ଆର୍‌ଏସ୍‌ଏସ୍‌ ଓ ପିଏଫ୍‌ଆଇ ଗୋଟିଏ ଭାଡ଼ିର ପାରା: ଦିଗବିଜୟ ସିଂ

ନୂଆଦିଲ୍ଲୀ : (ସଂକେତ୍ ଟିଭି): ପିଏଫ୍‌ଆଇ ଉପରେ କାର୍ଯ୍ୟାନୁଷ୍ଠାନ ମାମଲାରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଆରଏସଏସ ଓ ବିଜେପି ଶାସିତ କେନ୍ଦ୍ର ସରକାରକୁ କଡା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଆର୍‌ଏସ୍‌ଏସ୍‌ ଓ ପିଏଫ୍ଆଇ ସବୁ ଗୋଟିଏ ଭାଡ଼ିର ପାରା। ଯଦି ପିଏଫ୍‌ଆଇ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ଏମାନଙ୍କ ଉପରେ କାହିଁକି ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିଏଫ୍‌ଆଇ ଉପରେ ହେଉଥିବା ଚଢ଼ାଉକୁ ନେଇ ପ୍ରତିକ୍ରିୟା ଦେଇ ଦିଗବିଜୟ ଏପରି କହିଛନ୍ତି । ସେ କହିଛନ୍ତି “ଯିଏ ହିଂସା ସୃଷ୍ଟି କରୁଛି, ଧାର୍ମିକ ଉନ୍ମାଦନା ସୃଷ୍ଟି କରୁଛି। ସେଇ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ଏମାନଙ୍କ(ପିଏଫ୍‌ଆଇ) ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ସଂଘ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି। ବିଶ୍ୱ ହିନ୍ଦୁ ପରିଷଦର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି?। ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବା ଦରକାର।”

ଦିଗବିଜୟଙ୍କର ଏଭଳି ତୁଳନାକୁ ଦେଖି ରିପୋର୍ଟର ପଚାରିଥିଲେ ଯେ କଣ ଆର୍‌ଏସ୍‌ଏସ୍ ଓ ପିଏଫ୍‌ଆଇ ସମାନ? ଏହାର ଉତ୍ତର ଦେଇ ଶ୍ରୀ ସିଂହ କହିଥିଲେ “ନିଶ୍ଚିତ ରୁପେ ସମାନ। ଯିଏ ଘୃଣା ଓ ଧାର୍ମିକ ଉନ୍ମାଦ ସୃଷ୍ଟି କରେ ସେମାନେ ସବୁ ଗୋଟିଏ ଥାଳିର ଚଟ୍ଟେ ବଟ୍ଟେ। ଜଣେ ଜଣଙ୍କର ପୂରକ।”

ସୂଚନା ଥାଉକି, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ଅଭିଯୋଗରେ ବର୍ତ୍ତମାନ ଦେଶରେ ୧୫ଟି ରାଜ୍ୟରେ ପିଏଫ୍‌ଆଇ ସଂଗଠନ ଉପରେ ଚଢ଼ାଉ କରାଯାଉଛି। ସେପ୍ଟେମ୍ବର ୨୨ ତାରିଖରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଓ ଇଡି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଥିବା ପିଏଫ୍‌ଆଇ ସଂଗଠନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲା। ଏଥିରେ ଇଡି, ଏନ୍‌ଆଇଏ ଓ ରାଜ୍ୟ ପୁଲିସ ଦ୍ୱାରା ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ସଦସ୍ୟକଙ୍କୁ ଗିରଫ କରାଯାଇଛି।