ଅକ୍ଟୋବର ୧୮ରେ ବିସିସିଆଇ ନିର୍ବାଚନ

ନୂଆଦିଲ୍ଲୀ : (ସଂକେତ୍ ଟିଭି): ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ବହୁ ପ୍ରତିକ୍ଷୀତ ନିର୍ବାଚନ ଅକେଫାବର ୧୮ ତାରିଖରେ ଅନୁଷ୍ଠିତ ହେବ । ବୋର୍ଡର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଏହି ତାରିଖରେ ହେବା ନେଇ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ସଂଘଗୁଡ଼ିକ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଛନ୍ତି । ଅବଶ୍ୟ ବିସିସିଆଇ ଏହାର ନିର୍ବାଚନ ଅଧିକାରୀ ଭାବେ ଏ.କେ. ଜ୍ୟୋତିଙ୍କୁ ନିଯୁକ୍ତ କରିଥିଲା ବେଳେ ସେ ହିଁ ପରବର୍ତ୍ତୀ ସମୟରେ ନିର୍ବାଚନ ସଂପର୍କିତ ବିଜ୍ଞପ୍ତି ଜାରି କରିବେ । ତଥାପି ଏଜିଏମ୍‌ରେ ବିସିସିଆଇ ନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି ।

ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୮ ତାରିଖରେ ବିସିସିଆଇର ଏଜିଏମ୍‌ ମୁମ୍ବାଇରେ ଅନୁଷ୍ଠିତ ହେବ । ପରବର୍ତ୍ତୀ ସମୟରେ ଏହାର ସମୟ ଓ ସ୍ଥାନ ଜଣାଇ ଦିଆଯିବ ବୋଲି ଏଥିରେ ଦର୍ଶାଯାଇଛି । ବିଜ୍ଞପ୍ତିର ପଏଣ୍ଟ ବି’ ରେ ନିର୍ବାଚନ ସଂକ୍ରାନ୍ତରେ କୁହାଯାଇଥିଲା ବେଳେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ହେବା ନେଇ ଉଲ୍ଲେଖ କରାଯାଇଛି । ତଥାପି ଦେଖିବାର କଥା ହେଉଛି କି, ବର୍ତ୍ତମାନର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସେରଭ ଗାଙ୍ଗୁଲି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କି ନାହିଁ ।

ଅନ୍ୟପକ୍ଷରେ ସମ୍ପାଦକ ଜୟ ଶାହଙ୍କ ପ୍ରତି ୧୫ଟି ରାଜ୍ୟ ସଂଘର ସମର୍ଥନ ରହିଥିବା କୁହାଯାଉଥିଲା ବେଳେ ସେ ନୂଆ ସଭାପତି ହୋଇପାରନ୍ତି ବୋଲି ଆନୁମାନ କରାଯାଉଛି । ତେବେ କୁଲିଂ ଅଫ୍‌ ଅବଧିକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ଉଭୟ ନିଜ ନିଜର ପଦବୀ ଜାରି ରଖିପାରନ୍ତି । ନିର୍ବାଚନରେ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ସଂଘକୁ ପ୍ରତିନିଧିତ୍ୱ କରିବେ ବୋଲି ସ୍ପଷ୍ଟ ହୋଇସାରିଛି । ଏହାବାଦ୍‌ ସମ୍ପାଦକ ପଦବୀ ପାଇଁ ବର୍ତ୍ତମାନର କୋଷାଧ୍ୟକ୍ଷ ଅରୁଣ ଧୁମାଲଙ୍କ ନାମ ଚର୍ଚ୍ଚା ହେଉଛି । କୋଷାଧ୍ୟକ୍ଷ ପାଇଁ ଯୁଗ୍ମ ସମ୍ପାଦକ ଅନିରୁଦ୍ଧ ଚୌଧୁରୀ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଏଜିଏମ୍‌ ଅବସରରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପାଇଁ ବିସିସିଆଇର ପ୍ରତିନିଧିଙ୍କୁ ବଛାଯିବ । ଯଦି ଗାଙ୍ଗୁଲି ବୋର୍ଡ ସଭାପତି ପଦରୁ ଓହରିବେ, ତା’ହେଲେ ତାଙ୍କ ନାମ ଏଥିପାଇଁ ବଛାଯାଇପାରେ ।