୫ ଲକ୍ଷ ଲାଞ୍ଚ ନେଇ ବନ୍ଧାହେଲେ ଆୟକର ଅଧିକାରୀ

ଭୁବନେଶ୍ବର : (ସଂକେତ୍ ଟିଭି) ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ବାନ୍ଧିଛି ସିବିଆଇ । ଖୋର୍ଦ୍ଧା ଶ୍ରୀରାମ ନଗର ସ୍ଥିତ ବାସଭବନରେ ଚଢାଉ କରି ଭୁବନେଶ୍ୱର ସିବିଆଇ ଟିମ୍ ସୁମନ ଲାଞ୍ଚ ନେଉଥିବା ୫ ଲକ୍ଷ ଟଙ୍କା ଓ ସୁନାଚେନ୍ ଜବତ କରିବା ସହ ତାଙ୍କୁ ରବିବାର ଗିରଫ କରାଯାଇଛି।

ସୂଚନା ଅନୁସାରେ ଖୋର୍ଦ୍ଧାର ମାରୱାଡି ପଟିରେ ଦେବେନ୍ଦ୍ର ସାହୁଙ୍କ ଶାନ୍ତି ଜୁଏଲର୍ସ ରହିଛି । ମାଲିକଙ୍କୁ ଖୋର୍ଦ୍ଧା ଆୟକର ଅଧିକାରୀ ସୁମନ କୁମାର ସାହୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଜୁଏଲର୍ସ ମାଲିକଙ୍କ ଆୟରେ ଗଡବଡ ରହିଛି, ଏଥିପାଇଁ ଦିଲ୍ଲୀରେ ଥିବା ଆୟକର ବିଭାଗକୁ ଜଣାଇବେ, ତାହା ପରେ ତାଙ୍କ ସୁନା ଦୋକାନ ବନ୍ଦ ହେବା ସହ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯିବ ବୋଲି ଆୟକର ଅଧିକାରୀ ସୁମନ କୁମାର ସାହୁ କହିଥିଲେ ।

ଏହାପରେ ଆୟକର ଅଧିକାରୀ ସୁମନ କୁମାର ସାହୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ମାମଲାର ରଫାଦଫା କରିବେ ବୋଲି କହିଥିଲେ । ତାଙ୍କ କହିବା ମୁତାବକ ସେ ୧୦ ଲକ୍ଷ ଟଙ୍କା ପୂର୍ବରୁ ନେଇଥିଲେ । ଏ ନେଇ ଦେବେନ୍ଦ୍ର ସିବିଆଇ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସିବିଆଇ ଡିଏସପି ପଙ୍କଜ କୁମାର ନେତୃତ୍ୱରେ ୫ ଜଣିଆ ଟିମ୍ ଆଜି ଆଉ ୫ ଲକ୍ଷ ଟଙ୍କା ନେଉଥିବା ବେଳେ ଶ୍ରୀ ସାହୁଙ୍କ ଖୋର୍ଦ୍ଧା ଶ୍ରୀରାମ ନଗର ବାସଭବନରେ ଚଢାଉ କରି ଅନେକ ଆପତ୍ତିଜନକ ଦସ୍ତାବିଜ ଏବଂ ଅଳଙ୍କାର ଦୋକାନୀ ଦେଇଥିବା ନଗଦ ୫ଲକ୍ଷ ଟଙ୍କା ଜବତ କରିଥିଲେ । ସିବିଆଇ ଅଧିକାରୀ ସୁମନଙ୍କୁ ଅର୍ଥ ତୋଷାରପାତ ଅଭିଯୋଗରେ ଗିରଫ କରିବା ସହିତ ଅଧିକ ତଦନ୍ତ ନିମନ୍ତେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟଳୟକୁ ନେଇଥିବା ଜଣା ପଡ଼ିଛି ।