ଡିସେମ୍ବର ୧୬ରେ ଆଇପିଏଲ୍ ଖେଳାଳି ନିଲାମ

ନୂଆଦିଲ୍ଲୀ : (ସଂକେତ୍ ଟିଭି): ବିସିସିଆଇ ପକ୍ଷରୁ ଆସନ୍ତା ୨୦୨୩ ସଂସ୍କରଣର ଆଇପିଏଲ୍‌ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବରରେ କରାଯିବାକୁ ଯୋଜନା କରାଯାଉଛି । ବିଭିନ୍ନ ଫ୍ରାଞ୍ଚାଇନଙ୍କ ସହିତ ଅଣ ଔପଚାରିକ ଆଲୋଚନା କରିବା ପରେ ଡିସେମ୍ବର ୧୬ ତାରିଖରେ ନିଲାମ ପ୍ରକ୍ରିୟା ହେବା ନେଇ ସମ୍ଭାବନା ରହିଛି । ଯଦିଓ ଲିଗ୍ ଆୟୋଜନ ନେଇ କୌଣସି ତାରିଖ କିମ୍ବା ସ୍ଥାନ ର୍ନିଧାରିତ ହୋଇନାହିଁ, ତଥାପି ମାର୍ଚ୍ଚ ଶେଷ ସପ୍ତାହରେ ପ୍ରତିଯୋଗିତା ଆରମ୍ଭ ହୋଇପାରେ ।

ଖେଳାଳି ନିଲାମ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ଙ୍କୁ ୯୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ । ଗତବର୍ଷ ଅପେକ୍ଷା ଏହାକୁ ୫ କୋଟି ଅଧିକ ବଢାଇ ଦିଆଯାଇଛି । ଯଦି କୌଣସି ଦଳ ଖେଳାଳିଙ୍କୁ ଛାଡ଼ି ଦିଅନ୍ତି କିମ୍ବା ବଦଳ କରିବାକୁ ଚାହାଁନ୍ତି, ତାହେଲେ ପକେଟ ଖର୍ଚ୍ଚ ଆହୁରି ବଢିଯାଇପାରେୟ ସୂଚନାଯୋଗ୍ୟ, ଚେନ୍ନାଇ ସୁରକିଙ୍ଗ୍ସର ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଗୁଜୁରାଟ ଟାଇଟନ୍ସର ଶୁଭମନ ଗିଲ୍‌ଙ୍କ ମଧ୍ୟରେ ଅଦଳ ବଦଳ ପାଇଁ ଅଲୋଚନା ଚାଲିଥିବା କୁହାଯାଉଛି । କିନ୍ତୁ ଦୁଇ ଦଳ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି । ତଥାପି ଜାଦେଜାଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଆଗ୍ରହ ପ୍ରକାଶ କରିଛି ।

ସେହିପରି ରାହୁଲ ତେୱାତିଆ ଓ ଆର୍‌. ସାଇକିଶୋରଙ୍କୁ ନେବା ପାଇଁ ଗୁଜୁରାଟ ଟାଇଟନ୍ସକୁ ଅନୁରୋଧ ଆସିଥିବା ଚର୍ଚ୍ଚା ହେଉଛି । ତେବେ ଖେଳାଳିମାନଙ୍କ ଦଳ ବଦଳ ସଂପର୍କରେ ନିଲାମର ଗୋଟିଏ ସପ୍ତାହ ପୂର୍ବରୁ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି ।