ମୋଦିଙ୍କ ରାଲିକୁ ଭଣ୍ଡୁର ଉଦ୍ୟମ, ପିଏଫଆଇ ଆକାଉଣ୍ଟକୁ ଆସିଛି ୧୨୦ କୋଟି ଟଙ୍କା

ନୂଆଦିଲ୍ଲୀ : (ସଂକେତ୍ ଟିଭି): ମୌଳବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ମାରାଥନ୍‌ ରେଡ୍‌ ପରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗିରଫ ହୋଇଥିବା କେରଳର ଜଣେ ପିଏଫଆଇ ସଦସ୍ୟ ଜେରା ବେଳେ ସଂଘାତିକ ସତ ଉଗାଳିଛନ୍ତି । ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜେରା ବେଳେ ଗିରଫ ସଦସ୍ୟ ଜଣକ କହିଛନ୍ତି ଯେ, ବିହାରରେ ଗତ ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ପିଏଫଆଇ ପକ୍ଷରୁ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଥିଲା । ଗିରଫ ପିଏଫଆଇ ସଦସ୍ୟ ସଫିକ୍‌ ପାଇଥ୍‌ ଏହା ମାନିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଭଣ୍ଡୁର କରିବା ପାଇଁ ପିଏଫଆଇ ପକ୍ଷରୁ ଏକ ତାଲିମ କ୍ୟାମ୍ପ କରାଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ବିଫଳ କରିବା ତାଲିମ ଦିଆଯାଇଥିଲା । ସେଠାରେ ବ୍ୟାନର ଓ ପୋଷ୍ଟର ଧରି ମୋଦିଙ୍କ ବିରୋଧରେ ନାରାବାଜି ପକାଇବାକ ତାଲିମ ଦିଆଇଥିଲା । ଗୋଟିଏ ବର୍ଷରେ ପିଏଫଆଇ ଫଣ୍ଡକୁ ୧୨୦ କୋଟି ଟଙ୍କା କାରବାର ହୋଇଥିବା ଇଡି କହିଛି । ଏସବୁ ଅର୍ଥ ଆତଙ୍କବାଦ କାର୍ଯ୍ୟକଳାପ ବିନିଯୋଗ ପାଇଁ ଆସୁଥିଲା । ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଦେଶ ବାହାରୁ ଏହି ଅର୍ଥ ଆସିଥିବା ଇଡି କହିଛି ।

ପିଏଫଆଇ ସଙ୍ଗଠନ ଉପରେ ମାରାଥନ ରେଡ୍‌ ହୋଇଥିଲା । ଯାଞ୍ଚ ବେଳେ ଉକ୍ତ ସଙ୍ଗଠନ ଯାବତୀୟ ବେଆଇନ୍‌ କାର୍ଯ୍ୟକାଳପରେ ଲିପ୍ତ ଥିବା ପ୍ରମାଣ ମିଳିବା ପରେ ଏହାକୁ ନିଷିଦ୍ଧ ପାଇଁ ବିଚାର କରାଯାଉଛି । ଆତଙ୍କବାଦୀ କାର୍ଯ୍ୟକଳାପରେ ପିଏଫଆଇର ସମ୍ପୃକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ଏଜେନ୍ସି ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲା । ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ଚଢଉ ବେଳେ ଏନଆଇଏ ପିଏଫଆଇର ଶତାଧିକ ନେତାଙ୍କୁ ଗିରଫ କରିଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ପିଏଫଆଇର ସମ୍ପୃକ୍ତିକୁ ନେଇ ଏହାକୁ ନିଷିଦ୍ଧ କରିବା ଲାଗି ବିଭିନ୍ନ ଆସାମ ଓ କର୍ଣ୍ଣାଟକ ସରକାର ଦାବି କରିଛନ୍ତି ।

ଏନଆଇଏର କହିବା ଅନୁଯାୟୀ ପିଏଫ୍‌ଆଇ ବିଭିନ୍ନ ସ୍ଥାନରେ ଶିବିର ପକାଇ ଯୁବକଙ୍କୁ ନିଯୁକ୍ତି ଦେଉଛି । ପିଏଫଆଇରେ ନିଯୁକ୍ତ ଯୁବକଙ୍କୁ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଲାଗି ପ୍ରୋତ୍ସାହନ ଦିଆଯାଉ ଥିବା ଅଭିଯୋଗ ଉଠିଛି ।