ଗୋପନାରାୟଣ ଦାସଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ବର : (ସଂକେତ୍ ଟିଭି): ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ଏକାଦଶାହ ଅବସରରେ ତାଙ୍କ ବାସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । କବି ପ୍ରଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତଃ ଗୋପନାରାୟଣ ଦାସଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବକ୍ତାମାନେ କହିଥିଲେ ଯେ ବିଧାୟକ ଶ୍ରୀ ଦାସଙ୍କ ସମୟରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବହୁବିଧ ବିକାଶମୂଳକ କାର୍ଯ୍ୟ ହୋଇପାରିଥିଲା । ତେଣୁ ତାଙ୍କୁ ବିକାଶ ପୁରୁଷ କହିଲେ ଅତୁ୍ୟକ୍ତି ହେବନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଣମ୍ୟ ଗୋପନାରାୟଣ ନାମରେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା ।

ଶ୍ରଦ୍ଧାଞ୍ଜଳି ସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚନ୍ଦ,ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ, ସଦରବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀ ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, କଂଗ୍ରେସ ନେତ୍ରୀ ମମତା କୁଣ୍ଡୁ, ପୂର୍ବତନ ପୌରପାଳ ତପନ ଚକ୍ରବର୍ତ୍ତୀ, ବାର ଏସୋସିଏସନ ସଭାପତି ମନୋଜ ନାୟକ, ବିଜେଡି ନେତ୍ରୀ ସୁବାସିନି ଜେନା, ବିକ୍ରମ ପଣ୍ଡା, ଅରୁଣ ଜେନା, ଶୁଭେନ୍ଦୁ ମଙ୍ଗରାଜ, କାଉନସିଲର ପଦ୍ମଲୋଚନ ଲେଙ୍କା ପ୍ରମୁଖ ବହୁନେତା ଓ ସମାଜସେବୀମାନେ ଉପସ୍ଥିତ ରହି ସ୍ୱର୍ଗତଃ ଗୋପନାରାୟଣ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।