ସହଜ ହେବ ଗାଡ଼ି ଫିଟନେସ୍ ଟେଷ୍ଟ

ଭୁବନେଶ୍ବର : (ସଂକେତ୍ ଟିଭି) ଏବେ ସହଜ ହେବ ଯାନବାହନର ଫିଟ୍‌ନେସ୍ ଟେଷ୍ଟ । ଦରକାର ପଡ଼ିବନାହିଁ ମେକାନିକ୍ ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଟିଓ ଅଫିସ ସ୍ୱୟଂଚାଳିତ ହେବ୍ ଟେଷ୍ଟିଂ ପ୍ରକ୍ରିୟା ଯାଞ୍ଚ କରିବ ସ୍ୱତନ୍ତ୍ର ଡିଭାଇସ୍ । ଗାଡ଼ିର ବୟସ କେତେ, ଗାଡ଼ି ଫିଟ୍ କି ଅନ୍‌ଫିଟ୍‌, ଏମିସନ୍ ସ୍ତର କେତେ ଅଛି ସବୁ ତଥ୍ୟ ପ୍ରଦାନ କରିବ ସ୍ୱୟଂଚାଳିତ ବ୍ୟବସ୍ଥା । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ସ୍ୱତନ୍ତ୍ର ଅଟୋମେଟେଡ୍‌ ଟେଷ୍ଟିଂ ସିଷ୍ଟମ (ଏଟିଏସ୍‌) ଆପଣେଇବେ ରାଜ୍ୟ ସରକାର ।

ସେଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃ କ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ପ୍ରସ୍ତୁତ ହେବ ଏହି ଚିଠା ନୀତି । ପ୍ରସ୍ତାବିତ ଏଟିଏସ୍‌ ନୀତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିବ ଏଟିଏସ୍ ସେଣ୍ଟର । ଏମିତିକି କଟକର ଅରିଲୋଠାରେ ଥିବା ଥିବା ଇନ୍ସପେକ୍‌ସନ୍ ଆଣ୍ଡ ସାର୍ଟିଫିକେସନ୍‌ ସେଣ୍ଟରକୁ ମଧ୍ୟ ଏଟିଏସ୍ ସେଣ୍ଟରରେ ପରିଣତ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ ।

ପ୍ରସ୍ତାବିତ ଏଟିଏସ୍ ନୀତିକୁ ସ୍ୱାଗତ କରି ସଡ଼କ ସୁରକ୍ଷା କର୍ମୀ ପ୍ରକାଶ ମହାପାତ୍ର ସେ କହିଛନ୍ତି, ଏହାଦ୍ବାରା ଫିଟ୍‌ନେସ ଯାଞ୍ଚ ସରଳ ହେବାସହ ଅନଫିଟ୍ ଗାଡ଼ି ଯୋଗୁ ହେଉଥିବା ଦୁର୍ଘଟଣା ହ୍ରାସ ପାଇବ । ତେବେ ଅଟୋମେଟେଡ୍ ବ୍ୟବସ୍ଥା ଦ୍ୱାରା ଫିଟ୍‌ନେସ ଟେଷ୍ଟ ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଡ଼ି ମାଲିକ । ସେମାନଙ୍କ ଅଭିଯୋଗ ସାର୍ଟିଫିକେସନ୍ ସେଣ୍ଟରରୁ ଫିଟ୍‌ନେସ୍‌ ପାଇବାକୁ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ସାମାନ୍ୟ ତ୍ରୁଟି ଥିଲେ ମଧ୍ୟ ମିଳୁନି ଫିଟ୍‌ନେସ ସାର୍ଟିଫିକେଟ୍ ସ୍ୱୟଂଚାଳିତ ବ୍ୟବସ୍ଥା ଲାଗୁ ହେଲେ ସମସ୍ୟା ଆହୁରି ବଢିବ ବୋଲି ଗାଡି ମାଲିକମାନେ ଆଶଙ୍କା କରିଛନ୍ତି ।

ଅନ୍ୟପକ୍ଷରେ ଯଦି ୧୫ରୁ ୨୦ ବର୍ଷର ଗାଡ଼ି ଅଟୋମେଟେଡ୍‌ ଟେଷ୍ଟରେ ଫିଟ୍ ପ୍ରମାଣିତ ହୁଏ, ତେବେ ତାକୁ ସ୍କ୍ରାପେଜ୍ ପଲିସିରେ କାହିଁକି ସ୍କ୍ରାପ୍ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଗାଡ଼ି ମାଲିକ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଚିଠି ଅନୁଯାୟୀ, ଓଡ଼ିଶାର ୫ଟି ସ୍ଥାନରେ ଖୋଲାଯିବ । ଏହି ଅଟୋମେଟେଡ୍ ଟେଷ୍ଟିଂ ସେଣ୍ଟର ରାଜ୍ୟରେ ଏଟିଏସ୍ ଖୋଲିବାକୁ ୧୦ରୁ ଅଧିକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି ।