କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ପ୍ରସ୍ତାବର ମୋହର ଲଗାଇଛନ୍ତି। ଏଣୁ କର୍ମଚାରୀଙ୍କୁ ମିଳୁଥିବା ମାସିକ ବେତନରେ ଏବେ ଅଭିବୃଦ୍ଧି ଦେଖିବାକୁ ମିଳିବ।

ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅଫ ଇକୋନମିକ ଆଫେୟର୍ସ (ସସିଇଏ) ବୈଠକରେ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ମିଳିଛି। ଦେଶରେ ଜାରି ମୂଲ୍ୟ ବୃଦ୍ଧିରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବେଶ କିଛି ଦିନରୁ ଚାଲିଥିବା ଚର୍ଚ୍ଚାରେ ବିରାମ ଲାଗିଛି।

ଏହା ପୂର୍ବରୁ ସରକାର ଗତ ମାର୍ଚ୍ଚ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ। ଏହି ବୃଦ୍ଧି କର୍ମଚାରୀଙ୍କୁ ୧ ଜାନୁୟାରୀ ୨୦୨୨ରୁ ପିଛିଲା ଭାବେ ମିଳିଥିଲା। ଏହି ବୃଦ୍ଧି ଯୋଗୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ବଡି ୩୪ ପ୍ରତିଶତ ହୋଇଥିଲା। ଏବେ ଏଥିରେ ଆହୁରି ୪ ପ୍ରତିଶତ ବୃଦ୍ଧି ହେବା ଯୋଗୁ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତକୁ ପହଞ୍ଚିଛି। ମହଙ୍ଗା ଭତ୍ତା ବୃଦ୍ଧିର ସିଧା ପ୍ରଭାବ କର୍ମଚାରୀଙ୍କ ବେତନରେ ଦେଖିବାକୁ ମିଳିବ।

ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ଦେଶର ୫୦ ଲକ୍ଷ କର୍ମଚାରୀ ଓ ୬୫ଲକ୍ଷ ପେନସନରଙ୍କୁ ଉପକୃତ କରିବ। ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଡିଏ ସେମାନଙ୍କ ସାଲାରୀ ଷ୍ଟ୍ରକ୍ଚରରେ ଅଂଶ ହୋଇଥାଏ। ସେହିପରି ପେନସନରଙ୍କୁ ସେମାନଙ୍କ ଡିଆରରେ ମିଳିବ।