ଏଥର ବର୍ଷାରେ ଭିଜିବ ଦଶହରା, ୧ରୁ ୪ ଯାଏଁ ବର୍ଷା

ଭୁବନେଶ୍ବର : (ସଂକେତ୍ ଟିଭି): ଚଳିତ ବର୍ଷ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ି଼ବାର ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଭିଜିବ ଓଡ଼ି଼ଶା । ଦକ୍ଷିଣ ଚୀନ୍ ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ପୂଜା ସମୟରେ ବର୍ଷା ହୋଇପାରେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁଯାୟୀ ଟାଇଫୁନ ନୋରୁ ପ୍ରଭାବରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର ଉପକୂଳରେ ଏକ ଅପର ଏଆର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ଉତ୍ତର-ପଶ୍ଚିମ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି । ବାଂଲା ଦେଶ ଉପକୂଳର ନିକଟବର୍ତ୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତ୍ତର ଓଡ଼ି଼ଶା ଉପକୂଳ ଆଡକୁ ଆସିବ ଏବଂ ଠିକ ତାର ପରଦିନ ପଶ୍ଚିମ ଓଡ଼ି଼ଶା ମୁହାଁ ହେବ ବୋଲି ଜଣାପଡ଼ି଼ଛି ।

ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ରବିବାର ଆନ୍ଧ୍ର ଉପକୂଳରୁ ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୯ରେ ଏହା ଏକ ବିସ୍ତୀର୍ଣ୍ଣ ଟ୍ରଫରେ ମିଶିଯିବ । ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ଥାଇଲାଣ୍ଡ ଦେଇ ଲଘୁଚାପର ଅଂଶବିଶେଷ ଆସି ମିଆଁମାର ଉପକୂଳରେ ଆସନ୍ତା ୩୦ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରାଇବା ସମ୍ଭାବନା ଅଛି । ଏହା ଅକ୍ଟୋବର ୨ରେ ବାଂଲାଦେଶ, ପଶ୍ଚିମବଙ୍ଗ, ଓଡ଼ି଼ଶା ସଂଲଗ୍ନ ବଙ୍ଗୋପସାଗରରେ ରହିବ । ଏହାର ପ୍ରଭାବରେ ଓଡ଼ି଼ଶାର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ ଏବଂ ଅନୁଗୁଳରେ ଅକ୍ଟୋବର ୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଅକ୍ଟୋବର ୩ ରେ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ, ସମ୍ବଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଢ଼ ପ୍ରଭୃତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ଅକ୍ଟୋବର ୪ ରୁ ୬ ତାରିଖ ସାରା ଓଡ଼ି଼ଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳରେ ପ୍ରତ୍ୟେକ ଦିନ ହାଲୁକାରୁ ସ୍ୱଳ୍ପ ବର୍ଷା (ହାରାହାରି ୬୦ ମିମି), ଦକ୍ଷିଣ ଆଭ୍ୟନ୍ତରୀଣ ଓଢ଼ିଶାରେ ବିକ୍ଷିପ୍ତ ହାଲୁକା (୩୦ ମିମି), ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ (ହାରାହାରି ୯୦ ମିମି) ବର୍ଷା ହୋଇପାରେ ।