ଉଲ୍‌କା ପିଣ୍ଡ ସହ ଧକ୍କା ହେଲା ନାସା ମହାକାଶ ଯାନ

ନ୍ୟୁୟର୍କ : (ସଂକେତ୍ ଟିଭି): ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶରେ ଏକ ଅଭିନବ ଟେକନଲୋଜୀର ସଫଳ ପରୀକ୍ଷଣ କରିଛି । ଏହାର ନାମ ହେଉଛି ଡବଲ ଆଷ୍ଟ୍ରଏଡ୍‌ ରିଡାଇରେକ୍ସନ ଟେଷ୍ଟ (ଡାର୍ଟ) । ଏହି ଡାର୍ଟ ମିସନ ଅଧିନରେ ଏକ ମହାକାଶ ଯାନକୁ ଜାଣିଶୁଣି ଏକ ଉଲକାପିଣ୍ଡ ସହ ଧକ୍କା କରାଯାଇଥିଲା । ଏହି ଧକ୍କାର ପ୍ରଭାବ ସ୍ୱରୂପ ଫୁଟବଲ ପଡ଼ିଆ ଆକୃତିର ଏହି ଉଲକାପିଣ୍ଡ ଡାଇମରଫସ୍‌ ନିଜ ଗତିପଥରୁ ଟିକିଏ ଘୁଞ୍ଚିଯାଇଥିଲା ।

ନାସାର ଏହି ପରୀକ୍ଷଣ ସଫଳ ହେବା ପରେ ଭବିଷ୍ୟତରେ ପୃଥିବୀ ଉପରେ କୌଣସି ଉଲକାପିଣ୍ଡ କିମ୍ବା ଧୂମକେତୁ ଧକ୍କା ହେବା ପୂର୍ବରୁ ତାହାର ଗତିପଥ ବଦଳାଇ ହେବ । ମହାକାଶରେ ଘୂରି ବୁଲୁଥିବା ଏକ ଉଲକାପିଣ୍ଡ ଦ୍ୱୟର ନାଁ ହେଉଛି ଡିଡିମସ ସିଷ୍ଟମ୍ସ । ଏହି ସିଷ୍ଟମ ଅଧିନରେ ୨ଟି ଉଲକାପିଣ୍ଡ ଅଛନ୍ତି । ବଡ଼ ଉଲକାପିଣ୍ଡର ନାଁ ଡିଡିମସ ଓ ଏହା ଚାରିପଟେ ପରିକ୍ରମା କରୁଥିବା ଏକ ଛୋଟ ଉଲକାପିଣ୍ଡର ନାଁ ହେଉଛି ଡାଇମରଫସ୍‌ । ଏହାର ଗତିପଥ ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରୁନଥିଲା । ଏହି ଧକ୍କା ଦ୍ୱାରା ଧୂମକେତୁ ଉପରେ କଣ ପ୍ରଭାବ ପଡ଼ିଲା ଓ ତାହାର ଗତିପଥ କେତେ ପରିବର୍ତ୍ତନ ହୋଇଥିଲା ସେ ସମ୍ପର୍କିତ ତଥ୍ୟ ଉକ୍ତ ମହାକାଶ ଯାନ ଭୂପୃଷ୍ଠକୁ ପ୍ରେରଣ କରିଥିଲା । ଏହି ତଥ୍ୟକୁ ନାସା ଗବେଷଣାରେ ବ୍ୟବହାର କରିବ । ଡିଡିମସ ଧୂମକେତୁ ୧୯୯୬ ମସିହାରେ ଆରିଜୋନା ବିଶ୍ୱବିଦ୍ୟାଳୟର ପ୍ରଫେସର ଜୋଏ ମଣ୍ଟାନି ଆବିଷ୍କାର କରିଥିଲେ ।