ବ୍ୟବସ୍ଥା ନଥାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଡେଡ୍‌ ଲାଇନ୍‌କୁ ନାପସନ୍ଦ କଲେ ହାଇକୋର୍ଟ

କଟକ : (ସଂକେତ୍ ଟିଭି): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ଯଥେଷ୍ଟ ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ୍‌ ଦିଆଯିବାକୁ ଓଡିଶା ହାଇକୋର୍ଟ ନାପସନ୍ଦ କରିଛନ୍ତି । ଏନେଇ ହାଇକୋର୍ଟ ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଛନ୍ତି । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାରେ ଦୁଇ ଜଣ ବସ୍ ମାଲିକ ହାଇକୋର୍ଟରେ ଆବେଦନ କରିଥିଲେ ।

ମାନ୍ୟବର କୋର୍ଟ କହିଛନ୍ତି ଯେ, ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍‌ଲାଇନ୍‌ ବ୍ୟବସ୍ଥା ନାହିଁ । ଏହା ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ। ଏଥିପାଇଁ କ ଣ ବିକଳ୍ପ ବ୍ୟବସ୍ଥା କରାଯିବ । ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ର ସ୍ପଟ ବୁକିଂ ଡିସେମ୍ବର ପର୍ଯ୍ୟନ୍ତ ଶେଷ ହୋଇଯାଇଛି । ଏବେ ସୁଦ୍ଧା ମାତ୍ର ୭ ଲକ୍ଷ ଗାଡିରେ ନମ୍ବର ପ୍ଲେଟ୍ ଲାଗି ପାରିଛି । ରାଜ୍ୟରେ ରହିଛି ମୋଟ୍ ୮୦ ଲକ୍ଷରୁ ଅଧିକ ଗାଡି । କେବେ ସୁଦ୍ଧା ବାକି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲାଗିପାରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ସୂଚନାଯୋଗ୍ୟ ଯେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ନୂଆ ନିୟମ ଆଣିଥିଲା ପରିବହନ ବିଭାଗ । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍‌ ଦେବାରୁ ଚାଳକ ବର୍ତ୍ତିବେ । ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚାଳକ ଫାଇନ୍‌ରୁ ବର୍ତ୍ତିବେ ବୋଲି କହିଛି ବିଭାଗ । ୧ କିମ୍ବା ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି । ଅର୍ଥାତ ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ସେହିଭଳି ୩ ଓ ୪ ସରୁଥିବା ନମ୍ବର ପାଇଁ ଡେଡଲାଇନ ହେଉଛି ୩୦ ସେପ୍ଟେମ୍ବର । ୫ ଓ ୬ ସରୁଥିବା ନମ୍ବର ପାଇଁ ଡେଡଲାଇନ ଅକ୍ଟୋବର ୩୧ ଏବଂ ୭ ଓ ୮ ସରୁଥିବା ନମ୍ବର ପାଇଁ ଡେଡଲାଇନ ନଭେମ୍ବର ୩୦ । ୯ ଏବଂ ୦ ସରୁଥିବା ନମ୍ବର ପାଇଁ ଡେଡଲାଇନ ଡିସେମ୍ବର ୩୧ ରଖାଯାଇଛି ।