ଅଶୋକ ଗେହଲଟ ଲଢିବେନି କଂଗ୍ରେସ ସଭାପତି ନିର୍ବାଚନ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗେହଲଟ ଗୁରୁବାର ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ସୋନିଆଙ୍କ ସହ ତାଙ୍କର ଏହି ସାକ୍ଷାତ ଆଲୋଚନା ପାଖାପାଖି ଦେଢଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ବୈଠକ ପରେ ଗେହଲଟ ଏହି ଘୋଷଣା କରିଛନ୍ତି।

ସୋନିଆଙ୍କୁ ଭେଟିବା ପରେ ଅଶୋକ ଗେହଲଟ କହିଛନ୍ତି ଯେ ଗତ ୫୦ ବର୍ଷ ହେଲା ମୁଁ କଂଗ୍ରେସର ଜଣେ ବିଶ୍ୱସ୍ଥ ସିପାହୀ ରୂପେ କାମ କରିଆସୁଛି। ମୋ ଉପରେ ଭରସା କରି ଦଳ ଯେବେବି ଯେଉଁ ଦାୟିତ୍ୱ ଦେଇଛି ତାହାକୁ ବିଶ୍ୱସ୍ଥତାର ସହ ନିର୍ବାହ କରିଛି। ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢିବା ପାଇଁ ମନା କରିଦେବା ଓ ତାପରେ ତାଙ୍କୁ ଭେଟିବା କାଳରେ ନିର୍ବାଚନ ଲଢିବାକୁ ମନସ୍ତ କରିଥିଲି ବୋଲି କହିଛନ୍ତି। ତେବେ ରାଜସ୍ଥାନରେ ଯେଉଁ ଘଟଣା ଘଟିଲା ତାହା ମୋତେ ଦୋହଲାଇ ଦେଇଥିବା କହିଛନ୍ତି।

ରାଜସ୍ଥାନର ଘଟଣା ପୁରା ଦେଶକୁ ମୁଁ ମୁଖ୍ୟମନ୍ତ୍ରୀ ପଦବୀକୁ ଜାବୁଡି ବସିଥିବାର ବାର୍ତ୍ତା ଦେଇଛି। ଏଣୁ ସୋନିଆଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଅଶୋକ ଗେହଲଟ କହିଛନ୍ତି। ଗୁରୁବାର ଅଶୋକ ଗେହଲଟ ସୋନିଆଙ୍କୁ ଭେଟିବା ଲାଗି ଯେତେବେଳେ ୧୦ ଜନପଥ ଗଲେ ତାଙ୍କ ହାତରେ ଏକ ପେପର ଥିଲା। ଯେଉଁଥିରେ ଯାହା ବି ହେଲା ତାହା ଅତ୍ୟନ୍ତ ଦୁଃଖଦ ଓ ଏଥିରେ ମୁ ମଧ୍ୟ ଆହତ ବୋଲି ଉଲ୍ଲେଖ ଥିଲା।

ତେବେ ଅଶୋକ ଗେହଲଟ ସଭାପତି ନିର୍ବାଚନରୁ ଓହରି ଯାଇଥିବା ବେଳେ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଏଥିଲାଗି ସେ କଂଗ୍ରେସ ମୁଖ୍ୟାଳୟରୁ ପ୍ରାର୍ଥୀପତ୍ର ସଂଗ୍ରହ କରିସାରିଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ଦିନ ଦାଖଲ କରିବେ।