ଦୁର୍ଗାପୂଜା ପାଇଁ ୧ରୁ ବାଲେଶ୍ବର ସହରରେ ଟ୍ରାଫିକ କଟକଣା

ବାଲେଶ୍ୱର : (ସଂକେତ୍ ଟିଭି) ସାର୍ବଜନୀନ ଦୁର୍ଗାପୂଜା ପାଇଁ ଆସନ୍ତା ୧ତାରିଖରୁ ବାଲେଶ୍ୱର ସହରରେ ଟ୍ରାଫିକ କଟକଣା କରାଯିବ। ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବାଲେଶ୍ବର ସହରରେ ଆସନ୍ତା ୧ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେବ । ଏହାଛଡ଼ା ୬ ତାରିଖ ଦିନ ଭସାଣି ଶୋଭାଯାତ୍ରା କରାଯିବ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି । ୨ତାରିଖ ମହାସପ୍ତମୀ ଅପରାହ୍ନ ୪ଘଟିକା ଠାରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଏହି ନିୟମ କଡ଼ାକଡ଼ି ଭାବେ ୬ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲାଗୁ କରାଯିବ ।

ଘୋଷଣା ଅନୁଯାୟୀ ଷ୍ଟେସନଛକରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ବସ୍‌ ସମେତ ଭାରି ଯାନ ଚଳାଚଳକୁ ନିଷେଦ୍ଧ କରାଯାଇଛି । ବସଷ୍ଟାଣ୍ଡରୁ ବାହାରି ଭଦ୍ରକ/ ନୀଳଗିରି ଆଡ଼କୁ ଯାଉଥିବା ବସ୍‌ଗୁଡ଼ିକ ଷ୍ଟେସନଛକ ଆଡ଼କୁ ନଆସି ରେମୁଣା ଗୋଲେଇ ଦେଇ ଯାତାୟାତ କରିବେ । ସୋର ଏବଂ ସେରଗଡ଼ ଆଡ଼ୁ ବାଲେଶ୍ୱର ସହର ମଧ୍ୟକୁ ଆସୁଥିବା ଭାରିଯାନ ତଥା ବସ୍‌ଗୁଡ଼ିକ କୁରୁଡ଼ା ଛକରୁ ରେମୁଣା ଗୋଲେଇ ଦେଇ ସହର ଭିତରକୁ ଯିବେ । କୌଣସି ୨ଚକିଆ , ତିନିଚକିଆ ଏବଂ ଚାରିଚକିଆ ଯାନବାହାନ ଗୁଡ଼ିକ ଏଫଏମ୍‌ ଗୋଲେଇରୁ ଟେକ୍ନିକାଲ ସ୍କୁଲ ପର୍ଯ୍ୟନ୍ତ ଦିନ ୩ଘଟିକାରୁ ରାତ୍ରୋ ୧୨ ଘଟିକା ପର୍ଯ୍ୟନ୍ତ ନିଷେଧ କରାଯାଇଛି ।

ସିନେମାଛକ ଏବଂ ଚିଡ଼ିଆପୋଲଆଡ଼ୁ ଆସୁଥିବା ଯାନଗୁଡ଼ିକ ପାଣିଟାଙ୍କି ତଥା ଟେକ୍ନିକାଲ ଛକଦେଇ ଏଡ଼ିଏମ୍‌ ଛକକୁ ବାହାରି ଷ୍ଟେସନଆଡ଼େ ଯାତାୟତ କରିପାରିବେ । ସିନେମା ଛକରୁ ଭାୟା ଟାଉନଥାନା ଦେଇ ବାଲିଘାଟ ଆଡ଼କୁ ଯାଉଥିବା ତିନିଚକିଆ ଏବଂ ଚାରିଚକିଆ ଯାନଗୁଡ଼ିକ ଦିନ ୩ଘଣ୍ଟା ଠାରୁ ରାତି ୧୧ଘଣ୍ଟା ପର୍ଯ୍ୟନ୍ତ ନିଷେଧ କରାଯାଇଛି ।

ସେହିପରି ଆଇଟିଆଇ ପଡ଼ିଆରେ ରାବଣ ପୋଡ଼ି ପାଇଁ ୪ତାରିଖ ଅପରାହ୍ନ ୩ଘଟିକାରୁ ରାତ୍ର ୧୧ଘଟିକା ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି । ୩ତାରିଖ ଅଷ୍ଟମୀ ତିଥି ବିରାଷ୍ଟମୀ ଆଖଡ଼ା ପାଇଁ ଓ ୫ତାରିଖ ଦଶହରା ଆଖଡ଼ା ପାଇଁ ମଧ୍ୟ ଟ୍ରାଫିକ କଟକଣା ଜାରି କରାଯାଇଛି । ଭସାଣି ଶୋଭାଯାତ୍ରା ପାଇଁ ୬ତାରିଖ ସକାଳ ୯ଘଟିକା ଠାରୁ ଭସାଣି ଶେଷ ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି ।