୨୪ ଘଣ୍ଟାରେ ଦୌଡ଼ିଲେ ୩୧୯ କିଲୋମିଟର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ୨୪ ଘଣ୍ଟାରେ ୩୧୯.୬୧୪ କିମି ଦୌଡ଼ି ଲିଥୁଆନିଆ ଦୌଡ଼ାଳି ଆଲେକ୍ସଜେଣ୍ଡାର ସୋରୋକିନ୍ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍‌ ଅଫ୍ ଅଲଟ୍ରାରନର (ଆଇଏୟୁ) ପକ୍ଷରୁ ଆୟୋଜିତ ୨୪ଘଣ୍ଟିଆ ଆଏୟୁ ଚାମ୍ପିଅନ୍‌ସିପ୍‌ ପ୍ରତିଯୋଗିତାରେ ସେ ପ୍ରଥମ ହୋଇ ଏହି ସଫଳତା ହାସଲ କରିଛନ୍ତି । ଇଟାଲିର ଭେରୋନାରେ ଆୟୋଜିତ ଏହି ଦୌଡ଼ ପ୍ରତିଯୋଗିତାରେ ପାଖାପାଖି ୧୦ କିମି ବ୍ୟବଧାନରେ ସେ ଏହି ରେକର୍ଡ ଭାଙ୍ଗିଛନ୍ତି ।

ଏହି ଦୌଡ଼ାଳି ଜଣଙ୍କ ତାଙ୍କ ଓଜନ କମାଇବାକୁ ୨୦୧୩ରେ ଦୌଡ଼ିବା ଆରମ୍ଭ କରିଥିଲେ । ଆଲେକ୍ସଙ୍କୁ ଏବେ ୪୦ ବର୍ଷ । କିନ୍ତୁ ୨୦୨୧ରେ ସେ ଗୋଟିଏ ଦିନରେ ୩୦୯. ୩୯୯ କି.ମି. ଦୌଡ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ଏହି ରେକର୍ଡ ସୃଷ୍ଟି କରିବା ଫଳରେ ସେ ଗ୍ରୀସ୍‌ର ଅଲଟ୍ରା ମାରାଥନ ଦୌଡ଼ାଳି ୟାନିଶ୍‌ କୋରୋଶଙ୍କର ରେକର୍ଡକୁ ପଛରେ ପକାଇଥିଲେ । ଚଳିତ ବର୍ଷ ୨୪ ଘଣ୍ଟିଆ ଆଏୟୁ ଇୟୁରୋପିଆନ୍ ଚମ୍ପିଆନ୍‌ସିପ୍‌ରେ ସୋରକିନ୍ ୩୧୯ କିମି ଦୂରତାକୁ ହାରାହାରି ପ୍ରତି ୪ମିନିଟ୍ ୩୦ ସେକେଣ୍ଡରେ ଗୋଟିଏ କିମି ଦୌଡ଼ି ଅତିକ୍ରମ କରିବାରେ ସଫଳ ହୋଇଛନ୍ତି ।

ଅନ୍ୟପଟେ ପୋଲାଣ୍ଡର ଆଣ୍ଡ୍ରେଜ୍ ପିଟ୍ରୋୱିସ୍କି (୩୦୧.୮୫୮ କିମି ଦୌଡ଼ି) ଏହି ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଥିବା ବେଳେ ଇଟାଲିର ମାର୍କୋ ବିସିନିତି ୨୮୮.୪୩୭ କିମି ଦୌଡ଼ି ଏଥିରେ ତୃତୀୟ ସ୍ଥାନ ପାଇଛନ୍ତି । ସୂଚନାଥାଉକି, ଚଳିତବର୍ଷ ସେପ୍ଟମ୍ୱର ୧୭ ଓ ୧୮ରେ ଏହି ୨ଦିନିଆ ଅଲ୍ଟ୍ରା ରନିଙ୍ଗ ପ୍ରତିଯୋଗିତା କରାଯାଇଥିଲା । ସୋରକୋରିନ ଏହି ସଫଳତାକୁ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର କରିଛନ୍ତି । ସେ ୪୦ ବର୍ଷ ବୟସ ସତ୍ତ୍ୱେ ବି ତାଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ତାଙ୍କର ପ୍ରଶଂସକ ମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ମୁଁ ପ୍ରକୃତରେ ଅନୁଭବ କଲି ଯେ, ମୁଁ ବହୁତ ଥକିଯାଇଛି, ସେ ଯାହାବି ହେଉ ମୋର ଉତ୍ସାହ ଦ୍ୱିଗୁଣିତ ହୋଇଛି ।