କଂଗ୍ରେସ ସଭାପତି ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ଥରୁର, ଖଡଗେ ଓ ତ୍ରିପାଠୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତି ନିର୍ବାଚନ ଲାଗି କଂଗ୍ରେସ ଏମପି ଶଶି ଥରୁର, ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ ଓ କେ.ଏନ୍ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦିଗବିଜୟ ସିଂହ ଏହି ରେସ୍ ରୁ ଓହରି ଯାଇଛନ୍ତି। ନିର୍ବାଚନ ଅଧିସୂଚନା ଅନୁସାରେ ୩୦ ସେପ୍ଟେମ୍ବର ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା।

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିମନ୍ତେ ପୂର୍ବରୁ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ନାମ ଚର୍ଚ୍ଚାରେ ଥିଲା। ଗାନ୍ଧି ପରିବାରଙ୍କ ନିକଟତମଙ୍କ ମଧ୍ୟରେ ଖଡଗେ ଅନ୍ୟତମ। କଂଗ୍ରେସ ସଭାପତି ପଦ ନିମନ୍ତେ ଏବେ ଖଡଗେ ଓ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ଜଣାପଡିଛି। ତେବେ ଖଡଗେଙ୍କ ନାମ ପ୍ରସ୍ତାବ ନେଇ କଂଗ୍ରେସ ନେତାମାନେ ଯେଉଁପରି ଆଗକୁ ଆସିଛନ୍ତି ଏଥିରୁ ଖଡଗେଙ୍କ ବିଜୟ ସୁନିଶ୍ଚିତ ବୋଲି ଅନୁମାନ କରାଯାଉଛି।

୨୦୧୪ ମସିହାରେ ଖଡଗେ ଲୋକସଭାରେ କଂଗ୍ରେସର ନେତା ଥିଲେ। ୨୦୧୯ ମସିହା ଲୋକସଭା ନିର୍ବାଚନରେ ପରାଜୟ ଯୋଗୁ ତାଙ୍କୁ ୨୦୨୦ମସିହାରେ ରାଜ୍ୟସଭାକୁ ପଠା ଯାଇଛି। ଗତବର୍ଷ ଗୁଲାମନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତାଙ୍କସ୍ଥାନରେ ଖଡଗେଙ୍କୁ ରାଜସଭା ସାଂସଦ କରାଯାଇଥିବା ବେଳେ ସେ ଏବେ ଉଚ୍ଚସଦନରେ ବିରୋଧୀ ଦଳ ନେତା ଅଛନ୍ତି।