ଟି୨୦ ବିଶ୍ବକପରୁ ବାଦ୍‌ ପଡିନାହାନ୍ତି ଜଶପ୍ରୀତ ବୁମରା: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆହତ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଟି୨୦ ବିଶ୍ବକପ ସ୍କ୍ବାଡ୍‌ରୁ ଏପର୍ଯ୍ଯନ୍ତ ବାଦ୍‌ ପଡିନାହାଁନ୍ତି । ଏହା କହିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଗାମୀ ପୁରୁଷ ଟି୨୦ ବିଶ୍ବକପ ପାଇଁ ଭାରତ ସ୍କ୍ବାଡ୍‌ ଘୋଷଣା କରିଛି ଓ ବୁମରା ଏହି ସ୍କ୍ବାଡ୍‌ର ପ୍ରମୁଖ ସଦସ୍ୟ ରହିଛନ୍ତି ।

ଏବେ ବି ଦଳ ପ୍ରବନ୍ଧକଙ୍କ ବୁମରାଙ୍କ ବିଶ୍ଵ କପ୍‌ ଖେଳିବା ନେଇ ଆଶା ରଖିଛନ୍ତି। ଦଳ ପ୍ରବନ୍ଧକ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମନସ୍ଥ କରିଛି। ଯଦି ଏହା ମଧ୍ୟରେ ବୁମରା ଫିଟ୍ ହୋଇ ଯାଆନ୍ତି ତେବେ ବିସିସିଆଇ ବୁମରାଙ୍କୁ ବିଶ୍ଵ କପ୍‌ ପାଇଁ ଦଳରେ ରଖିବ ଏବଂ ସେ ଦଳର ବୋଲିଂ ବିଭାଗର ନେତୃତ୍ଵ ନେବେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରୁ ବାଦ୍‌ ପଡିବା ପରେ ବୁମରା, ବୁଧବାର ଥୀରୁଅନନ୍ତପୁରମରୁ ବେଙ୍ଗାଲୁରୁ ପହଞ୍ଚିସାରିଛନ୍ତି । ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ବୁମରାଙ୍କ ସଠିକ୍ ଯାଞ୍ଚ କରିବା ଏବଂ ଆଘାତର ଆକଳନ କରିବା ସହିତ ତାଙ୍କୁ ଫିଟ୍ ରଖିବା ପାଇଁ ଯଥା ସମ୍ଭବ ଉଦ୍ୟମ କରନ୍ତୁ ବୋଲି ବିସିସିଆଇ ଡାକ୍ତରୀ ଦଳକୁ କହିଛି। ବିସିସିଆଇକୁ ଗୋଟିଏ ପ୍ରତିଶତ ଯଦି ସମ୍ଭାବନାର କିରଣ ନଜର ଆସେ ତେବେ ବୁମରା ବିଶ୍ଵ କପ୍ ଖେଳି ପାରନ୍ତି।

ବିସିସିଆଇ ସୂତ୍ର ଅନୁଯାୟୀ, ଡାକ୍ତରୀ ଦଳ ବୁମରାଙ୍କ ଲଗାତାର ଟେଷ୍ଟ ଏବଂ ସ୍କାନ କରୁଛନ୍ତି। ଏହି କାରଣରୁ ବର୍ତ୍ତମାନ ସ୍ଥିତିରେ ବୁମରା ଅକ୍ଟୋବର ୫ରେ ଦଳ ସହିତ ଅଷ୍ଟ୍ରେଲିଆ ଯାତ୍ରା କରି ପାରିବେ ନାହିଁ। ସେ ପରେ ଦଳରେ ଯୋଗ ଦେବେ। ବୁମରା ଅଷ୍ଟ୍ରେଲିଆରେ ବିଶ୍ଵ କପ୍ ଖେଳନ୍ତୁ ବିସିସିଆଇ ଚାହୁଁଛି। ଡାକ୍ତରୀ ଦଳ ପର୍ଯ୍ୟନ୍ତ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି।

ଏହି କାରଣରୁ ବିସିସିଆଇ ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିବାକୁ ଉଚିତ୍ ମଣି ନାହିଁ। ପରିସ୍ଥିତି ଦେଖି ବଦଳ ଖେଳାଳି ଘୋଷଣା କରାଯିବ। ବୁମରାଙ୍କ ସମସ୍ତ ରିପୋର୍ଟ ଚୟନ କମିଟି ଏବଂ ଦଳ ପ୍ରବନ୍ଧକଙ୍କୁ ଅବଗତ କରାଯିବ। ବିଚାର ବିମର୍ଶ ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ

ଟି୨୦ ବିଶ୍ବକପ ପାଇଁ ଭାରତୀୟ ଟିମ ଜୋରଦାର ପ୍ରସ୍ତୁତି ଚଳାଇଛି । ଗତ ୩ ମାସ ବ୍ୟବଧାନ ମଧ୍ୟରେ ଆୟରଲାଣ୍ଡ, ଇଂଲଣ୍ଡ, କାରବିୟନ ଓ ୟୁଏଇରେ ଖେଳିଛି ଟିମ ଓ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଟିମ ବିପକ୍ଷରେ ଘରୋଇ ସିରିଜ ମଧ୍ୟ ଖେଳିଛି । ICC ପ୍ରତିଯୋଗୀତାରେ ଭାରତ, ଗ୍ରୁପ ୨ରେ ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ଦୁଇ କ୍ବାଲିଫାୟର୍ସ ସହ ସ୍ଥାନ ପାଇଛି । ଅକ୍ଟୋବର ୨୩ରେ MCGରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଓ ଅକ୍ଟୋବର ୨୭ରେ ସିଡନୀରେ କ୍ବାଲିଫାୟର୍ସ ଟିମ ବିପକ୍ଷରେ ଖେଳିବାର ସୂଚୀ ରହିଛି । ସେହିପରି ଅକ୍ଟୋବର ୩୦ରେ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ ନଭେମ୍ବର ୨ରେ ବାଂଲାଦେଶକୁ ଆଡିଲେଡ୍‌ରେ ଭେଟିବ ।

ଭାରତୀୟ ଟି୨୦ ବିଶ୍ବକପ ୨୦୨୨ ସ୍କ୍ବାଡ୍‌: ରୋହିତ ଶର୍ମା(କ୍ୟାପଟେନ୍‌), କେଏଲ ରାହୁଲ(ଭାଇସ-କ୍ୟାପଟେନ୍‌), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା*, ଭୁବନେଶ୍ବର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ ।ରିଜର୍ଭ ଖେଳାଳି: ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।