କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ: ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ, ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ଲଢେଇ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ. ଏନ ତ୍ରିପାଠୀଙ୍କ ନାମାଙ୍କନ ପତ୍ର ଖାରଜ ହେବାପରେ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେବ । ଆସନ୍ତା ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ।

କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ଏଆଇସିସି କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ଏହି ଅଧ୍ୟକ୍ଷ ପଦ ପାଇଁ ମୋଟ ୨୦ ସେଟର ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ସେଥିରୁ ୪ଟିକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଖଡ଼ଗେ ୧୪ଟି ସେଟର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ, ଥରୁର ୫ଟି ସେଟ ଓ ତ୍ରିପାଠୀ ଗୋଟିଏ ସେଟ୍‌ର ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ।

ତ୍ରିପାଠୀଙ୍କ ନାମାଙ୍କନ ପତ୍ରରେ ଜଣେ ସମର୍ଥକଙ୍କ ଦସ୍ତଖତ କରିନଥିବାବେଳେ, ଅନ୍ୟ ଜଣଙ୍କର ଦସ୍ତଖତ ଏକାଧିକ ଥର ଲେଖାଯାଇଛି । ଥରୁର ଓ ଖଡ଼ଗେଙ୍କ ପରେ ଏନ. ତ୍ରିପାଠୀ ୩ୟ ପ୍ରାର୍ଥୀ ରହିଥିଲେ । ତେବେ ତାଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରାଯାଇଛି । ତାଙ୍କୁ ଏହି ନିର୍ବାଚନରେ ଦୁର୍ବଳ ପ୍ରାର୍ଥୀ ମଧ୍ୟ କୁହାଯାଉଥିଲା । ଏନ. ତ୍ରିପାଠୀ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ସୂଚନା ଥାଉ କି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନର ଶେଷ ଦିନରେ ଖଡ଼ଗେ, ଥରୁର ଓ ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଖଡ଼ଗେ ୧୪ ସେଟ୍‌ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କର ସମର୍ଥକଙ୍କ ମଧ୍ୟରେ ଅଶୋକ ଗେହଲଟ୍, ଦିଗବିଜୟ ସିଂ, ଏ. କେ ଆଣ୍ଟୋନି, ଅମ୍ବିକା ସୋନି, ମୁକୁଲ ୱାସନିକ ଏବଂ ଜି -୨୩ ସଦସ୍ୟ ଆନନ୍ଦ ଶର୍ମା, ଭୁପେନ୍ଦ୍ର ହୁଡା, ପ୍ରୀତିରାଜ ଚୌହାନ ଏବଂ ମନୀଷ ତିୱାରୀ ସାମିଲ ଥିଲେ ।କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଆସନ୍ତା ଅକ୍ଟୋବର ୧୭ ତାରିଖରେ ହେବାକୁ ଥିବାବେଳେ ଅକ୍ଟୋବର ୧୯ ତାରିଖରେ ଏହାର ଫଳାଫଳ ବାହାରିବ ।