ଛାଡ଼ପତ୍ର ପାଇଁ ଦୋଷ ପ୍ରମାଣ ଜରୁରୀ ନୁହେଁ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଯଦି ମନ ନ ମିଶେ ଏବଂ ସେମାନଙ୍କ ସମ୍ପର୍କକୁ ଯୋଡ଼ିବା ଯଦି କେଣସି ପ୍ରକାରେ ସମ୍ଭବ ନ ହୁଏ, ତେବେ ସେମାନଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦିଆଯାଇପାରେ । ଏଥିପାଇଁ ସ୍ୱାମୀ ବା ସ୍ତ୍ରୀର ଦୋଷ ପ୍ରମାଣ କରିବା ଜରୁରି ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଜଷ୍ଟିସ୍‌ ସଞ୍ଜୟ କିଷନ କେଲଙ୍କ ନେତୃତ୍ୱାଧୀନ ସାମ୍ବିଧାନିକ ବେଞ୍ଚ୍‌ କହିଲେ ଯେ, ଭାରତରେ ଡାଇଭର୍ସ ଆଇନ ଦୋଷଦେଖା ତତ୍ତ୍ୱ (ଫଲଫ ଥିଓରି) ଉପରେ ଆଧାରିତ । କିନ୍ତୁ ବାସ୍ତବତା ହେଉଛି ଏଇଆ ଯେ, ସ୍ୱାମୀସ୍ତ୍ରୀ ଉଭୟ ଭଲ ଲୋକ ହୋଇପାରନ୍ତି, କିନ୍ତୁ ସେମାନେ ସବୁବେଳେ ଭଲ ଜୀବନସାଥୀ ନ ହୋଇପାରନ୍ତି ।

‘ପ୍ରଶ୍ନ ହେଉଛି, ଡାଇଭର୍ସ ମାମଲାରେ ଗୋଟିଏ ପକ୍ଷର ଦୋଷ ପ୍ରମାଣ କରିବା କ’ଣ ଜରୁରି?’, ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ଏଏସ୍‌ ଓକା, ବିକ୍ରମ ନାଥ ଓ ଜେକେ ମାହେଶ୍ୱରୀ ମଧ୍ୟ ଅନ୍ୟତମ ବିଚାରପତି ଥିବା ଖଣ୍ଡପୀଠ ପଚାରିଥିଲେ । କେହି ହୁଏତ ଅଭିଯୋଗ କରୁଛି- ମୋ ସ୍ତ୍ରୀ ସକାଳୁ ଉଠୁନାହିଁ, ମୋ ବାପାମାଆଙ୍କୁ ଚା କରି ଦେଉନାହିଁ ଇତ୍ୟାଦି । ଏହା କ’ଣ ଫଲଫ ଥିଓରି ? ତେଣୁ ଯେଉଁ କ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀଙ୍କ ଏକାଠି ରହିବା ସମ୍ଭବ ନୁହେଁ, ସେମାନଙ୍କର କାହାରି ଜଣକର ଦୋଷ ନ ଥିଲେ ବି ବିବାହ ବିଚ୍ଛେଦକୁ ମଞ୍ଜୁର କରାଯାଇପାରିବ ବୋଲି କୋର୍ଟ କହିଥିଲେ ।