ଦୁର୍ଗାଷ୍ଟମୀରେ ଗାଡ଼ି ଚେକିଂ ବେଳେ ପୋଲିସକୁ ମିଳିଲା ବ୍ରାଉନସୁଗାର : ୩ ଗିରଫ
ବାରିପଦା : (ସଂକେତ୍ ଟିଭି) ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରରୁ ସିଗାରେଟ ଖୋଳରେ ପ୍ୟାକିଂ ହୋଇଥିବା ପ୍ରାୟ ୧୧ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୈଶିଙ୍ଗା ଥାନା ଗୋବିନ୍ଦରାୟପୁର ଗ୍ରାମର ସେକ୍ ଉସ୍ମାନ ଗାନିଙ୍କ ପୁଅ ସେକ୍ ଅବ୍ଦୁଲ(୨୮), ତାଳପଦା ଗ୍ରାମର ମଲ୍ଲିକ ମୁଜାଫରଙ୍କ ପୁଅ ମଲ୍ଲିକ ଜାଫର(୨୨) ଓ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଞ୍ଚଳର ସେକ୍ ଅର୍ସଦଙ୍କ ପୁଅ ସେକ୍ ନିଆଜ(୨୫) ।
ସୂଚନା ଅନୁସାରେ, ଦୁର୍ଗାଷ୍ଟମୀରେ ବୈଶିଙ୍ଗା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ତଥା ଆନ୍ତଃଜିଲା ଅପରାଧୀଙ୍କ ପ୍ରବେଶକୁ ରୋକିବା ନିମିତ୍ତ ଏକ ପୋଲିସ ଟିମ୍ ୧୮ନଂ. ଜାତୀୟ ରାଜପଥ ବାଲେଶ୍ୱର-ମୟୂରଭଞ୍ଜ ସୀମା କଳମା ଛକରେ ସୋମବାର ଗାଡ଼ିମୋଟର ଚେକିଂ କରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଗୋବିନ୍ଦରାୟପୁର ପଟରୁ ବାହାରି ଏକ ୟାମାହା ଏଫ୍ଜେଡ୍ ବାଇକ ଯୋଗେ ବାରିପଦା ପଟକୁ ଯାଉଥିବାବେଳେ ହଠାତ୍ ପୋଲିସକୁ ଦେଖି ଗାଡ଼ି ବୁଲେଇ ଦ୍ରୁତଗତିରେ ପଛକୁ ଫେରି ବାଲେଶ୍ୱର ପଟକୁ ପଳାଇଯିବାକୁ ଚେଷ୍ଟା କରିଥିଲେ । ପୋଲିସର ସନ୍ଦେହ ଘନୀଭୂତ ହେବାରୁ ସେମାନେ ଉକ୍ତ ବାଇକର ପିଛା କରି ତିନି ଯୁବକଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଧମକଚମକ ଦେଇ ପଚାରିବାରୁ ସେମାନେ ବ୍ରାଉନସୁଗାର ବେପାର କରନ୍ତି ବୋଲି ଜଣାପଡ଼ିଥିଲା ଓ ଘଟଣାସ୍ଥଳରୁ ତାଙ୍କ ନିକଟରୁ ସିଗାରେଟ ଖୋଳରେ ପ୍ୟାକିଂ ହୋଇଥିବା ବ୍ରାଉନସୁଗାର ମିଳିଥିଲା। ସେମାନଙ୍କ କହିବା ଅନୁଯାୟୀ ସେମାନେ ଉକ୍ତ ପ୍ୟାକେଟକୁ ବାରିପଦା ବସ୍ଷ୍ଟାଣ୍ଡରୁ ବସ୍ ଯୋଗେ କଟକ ପଠାଇଥାନ୍ତେ ବୋଲି ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।