ଦୁଇ ଆଇଏଏସ୍‌ଙ୍କୁ ଦିଆଗଲା ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ

ଭୁବନେଶ୍ବର : (ସଂକେତ୍ ଟିଭି) ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବକପ୍-୨୦୨୩ ପରିଚାଳନା ପାଇଁ ଓଡ଼ିଶା ସରକାର ଦୁଇଜଣ ଆଇଏସ ଅଧିକାରୀଙ୍କୁ ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି। ଭୁପେନ୍ଦ୍ର ସିଂହ ପୁନିଆ ଏବଂ ରଘୁ ଜି. ଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଭୁପେନ୍ଦ୍ର ସିଂ ପୁନିଆଙ୍କୁ ରାଉରକେଲା ଦାୟିତ୍ୱ ଦିଆଯାଇଥିବା ବେଳେ ରଘୁ ଜି.ଙ୍କୁ ଭୁବନେଶ୍ୱର ଦାୟିତ୍ୱ ଦିଆଯାଇଛି ।

ଭୂପେନ୍ଦ୍ର ସିଂହ ପୁନିଆ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ଇପିକଲର ପରିଚାଳନା ନି‌ର୍ଦେଶକ ତଥା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ସେହିପରି ରଘୁ ଜୀ ଏବେ କଟକରେ ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶକ ଅଛନ୍ତି । ଏମାନେ ନିଜ ନିଜ ବିଭାଗ ସହ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ଜଣାଯାଇଛି। ଏଣେ ଓଡ଼ିଶା ଖଣି ନିଗମ ଓ ଇଡକଲର ପରିଚାଳନା ନି‌ର୍ଦେଶକ ବଲବନ୍ତ ସିଂହଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ସ୍ବତନ୍ତ୍ର ସଚିବ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଗାମୀ ବର୍ଷ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ଓ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଏହି ୧୬ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ମୋଟ ୪୪ ମ୍ୟାଚ୍ ଖେଳାଯିବ। ସେଥିମଧ୍ୟରୁ ଭୁବନେଶ୍ବରରେ ୨୪ ଏବଂ ରାଉରକେଲାରେ ୨୦ ମ୍ୟାଚ୍ ଆୟୋଜିତ ହେବ। ୨୦୨୩ ହକି ବିଶ୍ୱକପ୍‌ରେ ୪ଟି ପୁଲ୍‌ରେ ଖେଳିବେ ୧୬ଟି ଟିମ୍ । ପୁଲ୍‌ ଏରେ- ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍‌ ବି-ବେଲ୍‌ଜିୟମ୍‌, ଜର୍ମାନୀ, କୋରିଆ, ଜାପାନ ରହିଛନ୍ତି । ସେହିପରି ପୁଲ୍‌ ସିରେ ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ. ମାଲେସିଆ, ଚିଲି ରହିଥିବା ବେଳେ ପୁଲ୍‌ ଡିରେ ଭାରତ, ଇଂଲଣ୍ଡ, ସ୍ପେନ୍‌ ଓ ଓ୍ୱେଲ୍ସ ରହିଛନ୍ତି ।