ଭାରତ ରାଷ୍ଟ୍ର ସମିତି ନାମରେ ଜାତୀୟ ଦଳ ଘୋଷଣା କଲେ କେସିଆର

ହାଇଦ୍ରାବାଦ : (ସଂକେତ୍ ଟିଭି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଆଜି ଭାରତ ରାଷ୍ଟ୍ର ସମିତି ନାମରେ ଜାତୀୟ ଦଳ ଘୋଷଣା କରିଛନ୍ତି । ଏଣିକି ତେଲେଙ୍ଗାନାରେ ଶାସନରେ ଥିବା ତାଙ୍କ ଦଳ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଏବେ ‘ଭାରତ ରାଷ୍ଟ୍ର ସମିତି’ ଭାବେ ନାମିତ ହୋଇଛି ।

କେସିଆର ଗତକାଲି ରାତିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏକାଧିକ ପ୍ରସ୍ତାବିତ ନାମ ଉପରେ ବିଚାର ବିମର୍ଶ ହେବା ପରେ ଭାରତ ରାଷ୍ଟ୍ର ସମିତି ନାମରେ ଜାତୀୟ ଦଳ ଲଞ୍ଚ ହେବା ନେଇ ନିଷ୍ପତ୍ତିରେ ପହଞ୍ଚିଥିଲା ଦଳ । ଜାତୀୟ ଦଳ ହେଉଥିବା କାରଣରୁ ସମସ୍ତ ଭାଷାଭାଷୀ ଲୋକଙ୍କୁ ବୁଝାପଡିବା ପରି ନାମକରଣ କରାଯିବା ନେଇ ଦଳ ପକ୍ଷରୁ ସୂଚନା ମିଳିଥିଲା । ଆଜି ଅପରାହ୍ନରେ ଦଳର ସାଧାରଣ ପରିଷଦ ବୈଠକରେ ଏନେଇ ଏକ ସଙ୍କଳ୍ପ ପାରିତ ହୋଇଥିଲା । କେସିଆରଙ୍କ ପ୍ରସ୍ତାବକୁ 283 ସଦସ୍ୟ ଅନଔପଚାରିକ ଭାବେ ସମର୍ଥନ ଜଣାଇ ସାରିଥିଲେ ।

ଆଜିର ଟିଆରଏସ ବୈଠକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା କୁମାରସ୍ୱାମୀ, ତାମିଲନାଡୁ ଭିସିକେ ପାର୍ଟି ସଭାପତି ତଥା ସାଂସଦ ଥିରୁମାଭାଲାଭାନଙ୍କ ସମେତ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ । ତେବେ ବୈଠକରେ ଦଳର ନାମ ପରିବର୍ତ୍ତନ କରି ତାକୁ ଜାତୀୟ ଦଳରେ ପରିଣତ କରିବା ପାଇଁ ଏକ ସଂଙ୍କଳ୍ପ ଆଗତ ହୋଇଥିଲା । ଦଳର କାର୍ଯ୍ୟକର୍ତ୍ତାଙ୍କ ସହମତିରେ ସଂକଳ୍ପ ପତ୍ର ପାରିତ ହୋଇଥିଲା । ବୈଠକ ପରେ କେସିଆର ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିଛନ୍ତି ।

ପରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଗସ୍ତରେ ଯାଇ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବ । ଆଞ୍ଚଳିକ ଦଳରୁ ଜାତୀୟ ଦଳ ଭାବେ ପଞ୍ଜୀକରଣ ପ୍ରକ୍ରିୟା ଓ ଚିହ୍ନ ଆଦି ନେଇ ଏହି ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ସୂଚନା ରହିଛି ।