ନର୍ସରୀ ସ୍କୁଲରେ ଆଖୁବୁଜା ଗୁଳିମାଡ, ୨୩ ନିରୀହ ଶିଶୁ ସମେତ ୩୧ ମୃତ

ବ୍ୟାଂକକ୍ : (ସଂକେତ୍ ଟିଭି) ଥାଇଲାଣ୍ଡର ଉତ୍ତର ପୂର୍ବସ୍ଥିତ ନଙ୍ଗ ବୁଈ ଲାମଫୁ ସହରରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଆଖୁବୁଜା ଗୁଳିମାଡରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୧ ଶିଶୁ ଥିବା ସୂଚନା ମିଳିଛି। ଗୁଳିମାଡ ଏକ ନର୍ସରୀ ସ୍କୁଲରେ ହୋଇଛି। ଏହି ଗୁଳିକାଣ୍ଡ ପରେ ଲୋକଙ୍କୁ ଘରୁ ନ ବାହାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ କହିଛି। ଅଭିଯୁକ୍ତ ଜଣେ ପୂର୍ବତନ ପୋଲିସ ଅଧିକାରୀ ହୋଇଥିବା ସୂଚନା ମିଳିଛି। କିଛି ଦିନ ପୂର୍ବରୁ ଅଭିଯୁକ୍ତକୁ ପୋଲିସ ଚାକିରିରୁ ବରଖାସ୍ତ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ୩୪ ବର୍ଷିୟ ପାନୟା କାମରାମ ବୋଲି ଚିହ୍ନଟ କରାଯାଇଛି।

ଡେପୁଟି ପୋଲିସ ପ୍ରବକ୍ତା ଅର୍ଚନ କୈଟଙ୍ଗଙ୍କ କହିବା ଅନୁସାରେ, ଏକ ଡେକେୟାର ସ୍କୁଲରେ ଗୁଳିମାଡ ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୩ ଜଣ ଶିଶୁ ଥିବା ବେଳେ ଅନ୍ୟମାନେ ବୟସ୍କ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍କୁଲକୁ ସିଲ କରିଛି। ଗୁଳି କାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ନଙ୍ଗ ବୁଈ ଲାମଫୁ ସହରରେ ନାକାବନ୍ଦୀ କରାଯାଇଛି।

ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ, ଅଭିଯୁକ୍ତ ଏକ ଟୟୋଟା ଗାଡିରେ ଆସିଥିଲା। ଗାଡିରେ ବ୍ୟାଂକକ ପଞ୍ଜିକୃତ ନମ୍ବର ପ୍ଲେଟ ଲାଗିଥିଲା। ସେ ସ୍କୁଲ ଭିତରେ ପଶି ଆଖୁବୁଜା ଗୁଳିମାଡ କରିଥିଲା। କିଛି ପିଲାଙ୍କୁ ଚାକୁରେ ଆକ୍ରମଣ କରାଯାଇଥିବା କୁହାଯାଉଛି।