୮ ମାସର ଶିଶୁକନ୍ୟା ସମେତ ୪ ଅପହୃତ ଭାରତୀୟଙ୍କୁ ଆମେରିକାରେ ହତ୍ୟା

ଓ୍ବାଶିଂଟନ : (ସଂକେତ୍ ଟିଭି) : ଆମେରିକାରର କାଲିଫର୍ଣ୍ଣିଆର ମର୍ସିଡ ସହରରେ ଅପହରଣ ହୋଇଥିବା ଭାରତୀୟ ପରିବାରକୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି।

ମର୍ସିଡ କାଉଣ୍ଟି ସରିଫ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ମଧ୍ୟରେ ୩୬ ବର୍ଷୀୟ ଜଶଦୀପ ସିଂ, ତାଙ୍କ ସ୍ତ୍ରୀ ୨୭ ବର୍ଷ ବୟସ୍କା ଜସଲିନ କୌର, ସେମାନଙ୍କର ଆଠ ମାସର ଶିଶୁକନ୍ୟା ଆରୁହି ଏବଂ ୩୯ ବର୍ଷିୟ ଅମନଦୀପ ସିଂ ରହିଛନ୍ତି।

ସୋମବାର ମର୍ସିଡର ଦକ୍ଷିଣ ରାଜପଥ ୫୯ର ବ୍ଲକ ୮୦୦ ରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ନିକଟରୁ ଏହି ଚାରି ଭାରତୀୟଙ୍କୁ ଅପହରଣ କରାଯାଇଥିଲା। ସେମାନେ ସମସ୍ତେ ପଞ୍ଜାବର ହୋଶିଆରପୁର ଜିଲାର ଟାଣ୍ଡାର ହରସି ଗାଁର ବାସିନ୍ଦା। । ତେବେ ସେମାନଙ୍କୁ ଠାବ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ସମସ୍ତ ଅପହୃତଙ୍କ ମୃତଦେହ ବୁଧବାର ସନ୍ଧ୍ୟାରେ ଇଣ୍ଡିଆନା ରୋଡ ଏବଂ ହଞ୍ଚିସନ ରୋଡ ନିକଟ ଏକ ବଗିଚାରୁ ଉଦ୍ଧାର ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅପହରଣ ପରେ ମର୍ସିଡର ଶେରିଫ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ଭିଡିଓରେ ଅପହରଣର କିଛି ଦୃଶ୍ୟ ରହିଛି। ଏଥିରେ ଦେଖିବାକୁ ମିଳିଛି, ଜସଦୀପ ଏବଂ ଅମନଦୀପଙ୍କ ହାତ ଦଉଡିରେ ବନ୍ଧା ଯାଇଛି। ପରେ ଅପହର୍ତ୍ତା ଜସଲିନ ଏବଂ ୮ମାସର ଶିଶୁକୁ ନେଇ ଆସିଛି। ସେମାନଙ୍କୁ ଏକ ଟ୍ରକରେ ନେଇ ଯାଉଥିବା ଦେଖାଯାଇଛି।

ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଛି। ତେବେ ତାଙ୍କ ଅବସ୍ଥା ବି ଗୁରୁତର ଅଛି। ଗିରଫ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଅନୁମାନ କରାଯାଉଛି। ସେମାନଙ୍କ କାରକୁ ପୋଡି ଦିଆଯାଇଛି।

ଏହାପୂର୍ବରୁ ୨୦୧୯ ରେ ଭାରତୀୟ ମୂଳ ବୈଷୟିକ ବିଶେଷଜ୍ଞ ତୁଷାର ଅତ୍ରେ ତାଙ୍କ ପ୍ରେମିକାଙ୍କ କାରରେ ମୃତଦେହ ପାଇଥିଲେ। ସେ ଆମେରିକାର ଏକ ଡିଜିଟାଲ ମାର୍କେଟିଂ କମ୍ପାନୀର ମାଲିକ ଥିଲେ। ତାଙ୍କ କାଲିଫର୍ନଆସ୍ଥିତ ଘରୁ ଅପହରଣ ହେବାର କିଛି ଘଣ୍ଟା ପରେ ତାଙ୍କ ମୃତଦେହ ମିଳିଥିଲା।