ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ : (ସଂକେତ୍ ଟିଭି) ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇରୁ ଅହମ୍ମଦାବାଦ ଯିବା ରସ୍ତାରେ ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ସକାଳ ୧୧ଟା ୧୫ରେ ଏହି ଦୁର୍ଘଟଣା ଘଟିଛି । ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୮ମିନିଟରେ ବଟୱା ଷ୍ଟେଶନରୁ ମଣିନଗର ଯାଉଥିବା ଟ୍ରେନ୍ ଗାଇଗୋଠ ସହ ଧକ୍କା ଲାଗିଥିଲା । ଦୁର୍ଘଟଣାରେ ଇଞ୍ଜିନର ଗୋଟିଏ ଭାଗ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ଯୋଗୁ ଟ୍ରେନ ୨୦ ମିନିଟ ଅଟକି ରହିବା ପରେ ପୁଣି ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରି ଯାଇଥିଲା।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଥିଲେ । ଟ୍ରେନଟି ଘଣ୍ଟାପ୍ରତି ୧୮୦ରୁ ୨୦୦ କିଲୋମିଟର ବେଗରେ ଯାତ୍ରା କରୁଛି। ଏହା ଭାରତର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏହା ପୂର୍ବରୁ ନୂଆଦିଲ୍ଲୀ-ବାରଣାସୀ ଓ ନୂଆଦିଲ୍ଲୀ-କଟରା ମଧ୍ୟରେ ଏହିଟ୍ରେନ ଚଳାଚଳା କରୁଛି। ତେବେ ଏହି ବନ୍ଦେ ଭାରତ ଟ୍ରେନଟି ଗାନ୍ଧି ନଗରରୁ ଅହମ୍ମଦାବାଦ ହୋଇ ମୁମ୍ବାଇ ଯାଉଛି।

ରେଲୱେର ପିଆରଓ ପ୍ରଦିପ ଶର୍ମା କହିଛନ୍ତି ଏହି ଘଟଣାରେ ବିଶେଷ କିଛି କ୍ଷତି ହୋଇନାହିଁ । ଟ୍ରେନ୍ ସେବାରେ କୌଣସି ବାଧା ଉପୁଜିନାହିଁ । ନିର୍ଦ୍ଧାରିତ ସମୟରେ ଟ୍ରେନ୍ ଚଳାଚଳ କରୁଛି ।

ରେଲୱେ ବୋର୍ଡ ସାରା ଦେଶରେ ୪୦୦ ସେମି ହାଇସ୍ପିଡ ବନ୍ଦେଭାରତ ଏକ୍ସପ୍ରେସ୍ ଚଳାଇବାକୁ ଯୋଜନା ରଖିଛନ୍ତି। ଏହି ଟ୍ରେନରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏଥିରେ ଜିପିଏସ୍ ଆଧାରିତ ଇନଫର୍ମେସନ ସିଷ୍ଟମ, ସିସିଟିଭି କ୍ୟାମେରା, ଭ୍ୟାକୁମ ଆଧାରିତ ବାୟୋ ଟୟଲେଟ୍, ଅଟୋମେଟିକ ସ୍ଲାଇଡିଂ ଡୋର ଓ ପ୍ରତି କୋଚ୍‌ରେ ୪ଟି ଜରୁରିକାଳୀନ ପୁସ୍ ବଟନ ରହିଛି।