୪୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର

ବଲାଙ୍ଗୀର: (ସଂକେତ୍ ଟିଭି) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର(ଏପିଓ) ସୁଶାନ୍ତ କୁମାର ଦାସ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ପୋଖରୀ ମରାମତି କାମର ବିଲର ପ୍ରଥମ କିସ୍ତି ବିଲ୍ ପାସ କରିବା ଲାଗି ଅଭିଯୋଗକାରୀ (ଗ୍ରାମ ସାଥୀ)ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ଟିମ ତାଙ୍କର ଆୟବହିର୍ଭୁତ ସଂପତିର ଖୋଳତାଡ କରୁଛି ।

ସୂଚନା ଅନୁଯାୟୀ, ସୁଶାନ୍ତ ଦାସ ପୋଖରୀ ମରାମତି ବିଲ୍ କରିବା ପାଇଁ ଜନୈକ ବ୍ୟକ୍ତିଙ୍କୁ ଲାଂଚ ମାଗିଥିଲେ । ସଂପୃକ୍ତ ବ୍ୟକ୍ତି ଜଣକ ଏନେଇ ବରଗଡ଼ ଭିଜିଲାନ୍ସ ଡିଏସପିଙ୍କୁ ଜଣାଇ ଥିଲେ । ସୁଶାନ୍ତ ଦାସଙ୍କୁ ଧରିବା ନିମନ୍ତେ ଭିଜିଲାନ୍ସ ଟିମ୍ ଯୋଜନା କରିଥିଲେ । ଯୋଜନା ଅନୁସାରେ ସଂପୃକ୍ତ ବ୍ୟକ୍ତି ଆଜି ଏପିଓ ସୁଶାନ୍ତ ଦାସଙ୍କୁ ବିଲ୍ କରିବା ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ଏପିଓ ସୁଶାନ୍ତ ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ଆତର୍କିତ ଚଢାଉ କରିଥିଲା । ଭିଜିଲାନ୍ସ ଟିମ ସୁଶାନ୍ତଙ୍କ ଠାରୁ କେମିକାଲ ବୋଳା ଯାଇଥିବା ଲାଞ୍ଚ ଟଙ୍କା ଜବତ କରିଥିଲେ ।

ସୁଶାନ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ ବଙ୍ଗୋମୁଣ୍ଡା ଅସୁଲା ଗ୍ରାମ ସ୍ଥିତ ତାଙ୍କ ବାସଭବନ ଏବଂ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ଭିଜିଲାନ୍ସ ଟିମ ଚଢ଼ାଉ କରି ତଦନ୍ତ ଜାରି ରଖିଛନ୍ତି । ଏହି ଚଢ଼ାଉ ବେଳେ ବହୁତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡିଛି । ଏପିଓ ସୁଶାନ୍ତ ଦାସଙ୍କ ନାଁରେ ଆଗରୁ ଅଭିଯୋଗ ରହିଥିଲା ।