ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ୩୫ ସ୍ଥାନରେ ରେଡ୍ କରୁଛି ଇଡି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅବକାରୀ ଦୁର୍ନିତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ସକାଳୁ ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ରେଡ୍ କରିଛି । ଏହିସବୁ ରାଜ୍ୟର ମଦ କମ୍ପାନୀ, ଯୋଗାଣ ବ୍ୟବସ୍ଥା ସହ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ଚଢାଉ ଚାଲିଥିବା ସୂଚନା ମିଳିଛି । ଗିରଫ ମଦ ବ୍ୟବସାୟୀ ଇଣ୍ଡୋସ୍ପିରିଟର ମାଲିକ ସମୀର ମହେନ୍ଦ୍ରୁଙ୍କ ପଚରାଉଚରା ସମୟରେ ଏହି ଅବକାରୀ ନୀତି ମାମଲାରେ ପଞ୍ଜାବ ଓ ହାଇଦ୍ରାବାଦ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା ।

ମଦ ଦୁର୍ନୀତି ମାମଲାରେ ଏ ପର୍ଯ୍ୟନ୍ତ ଇଡି ୧୦୩ରୁ ଅଧିକ ସ୍ଥାନରେ ଚଢାଉ କରିସାରିଲାଣି । ଏହି ଘଟଣାରେ ଇଣ୍ଡୋସ୍ପିରିଟର ମାଲିକ ତଥା ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ଗିରଫ କରାଯାଇଛି । ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇ ଥର କୋଟି କୋଟି ଟଙ୍କା ଦେଇଥିବା ଅଭିଯୋଗ ରହିଛି ।

ଅନ୍ୟପଟେ ଆଜି ଇଡି ରେଡ୍‌କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍ କରିଛନ୍ତି, ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ପ୍ରମାଣ ପାଇବା ଲାଗି ୩ ମାସ ହେବ ୫୦୦ରୁ ଅଧିକ ଚଢାଉ ହେଲାଣି । ସିବିଆଇ ଓ ଇଡି ଅଧିକାରୀମାନେ ୨୪ ଘଣ୍ଟା ପରିଶ୍ରମ କରୁଛନ୍ତି । ହେଲେ କୌଣସି ପ୍ରମାଣ ପାଉନାହାନ୍ତି କାରଣ ସେମିତି କିଛି ନାହିଁ । ସେମାନଙ୍କର ଘୃଣ୍ୟ ରାଜନୀତି ପାଇଁ ବହୁ ଅଫିସରଙ୍କ ସମୟ ନଷ୍ଟ ହେଉଛି । ଏମିତିରେ କେମିତି ଗୋଟିଏ ଦେଶ ଆଗକୁ ବଢିବ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।