ଧାମନଗର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭଦ୍ରକ : (ସଂକେତ୍ ଟିଭି) ଧାମନଗର ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ଆଜିଠାରୁ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ । ନାମାଙ୍କନ ନିମନ୍ତେ ଭଦ୍ରକ ବ୍ଲକ ପରିସରରେ ବ୍ୟାରିକେଡ଼ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନ ନଭେମ୍ୱର ୩ ତାରିଖରେ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୭ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ ।

ନଭେମ୍ବର ମାସ ୩ ତାରିଖ ଦିନ ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥରେ ମତଦାନ ହେବ । ନଭେମ୍ବର ୬ ତାରିଖରେ ହେବ ଭୋଟ ଗଣତି । ନଭେମ୍ବର ୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ସାରିବା ପାଇଁ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି ।