ସ୍ତ୍ରୀ, ଶିଶୁଙ୍କ ଭରଣପୋଷଣ ପାଇଁ ମନା କରିପାରିବେନି ସକ୍ଷମ ସ୍ୱାମୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସ୍ତ୍ରୀ ଓ ଶିଶୁଙ୍କ ଭରଣ ପୋଷଣ ନେଇ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏକ ମାମଲାର ଶୁଣାଣି କରି ସ୍ତ୍ରୀ ଓ ପିଲାଙ୍କ ଭରଣପୋଷଣ ପାଇଁ ସକ୍ଷମ ସ୍ୱାମୀ ବାଧ୍ୟ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି । ଯଦି ଏଥିପାଇଁ ସ୍ୱାମୀଙ୍କୁ ଶାରିରୀକ ପରିଶ୍ରମ କରିବାକୁ ପଡ଼େ ତେବେ ତାହା ବି ମଧ୍ୟ ସେ କରିବାକୁ ବାଧ୍ୟ ବୋଲି ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ ଉଲ୍ଲେଖ
କରିଛନ୍ତି ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀନେଶ ମାହେଶ୍ୱରୀ ଏବଂ ଜଷ୍ଟିସ ବେଲା ଏମ୍‌.ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସ୍ତ୍ରୀ ଓ ପିଲାମାନଙ୍କୁ ପୋଷିବା ସ୍ୱାମୀମାନଙ୍କର ହେଉଛି ପବିତ୍ର କର୍ତ୍ତବ୍ୟ । ବିବାହ ବିଚ୍ଛେଦ ହୋଇଥିଲେ ସ୍ୱାମୀ ସ୍ତ୍ରୀ ଓ ନାବାଳକ ପିଲାର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ । ସିଆର୍‌ପିସିର ୧୨୫ ଧାରା ଅନୁସାରେ ସ୍ତ୍ରୀ ଓ ପିଲାଙ୍କ ଭରଣପୋଷଣ ଦାୟିତ୍ୱ ସ୍ୱାମୀଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏଭଳି ଦାୟିତ୍ୱକୁ କୌଣସି କ୍ଷେତ୍ରରେ ସ୍ୱାମୀ ମନା କରିପାରିବେ ନାହିଁ ।

ଏକ ମାମଲାରେ ସ୍ତ୍ରୀ ଭରଣ ପୋଷଣ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଶୁଣାଣି ସମୟରେ ସ୍ୱାମୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ତାଙ୍କର ବ୍ୟବସାୟରେ ପ୍ରଚୁର କ୍ଷତି ହୋଇଥିବାରୁ ଅର୍ଥର ଅଭାବ ରହିଛି । ତେଣୁ ଏ କ୍ଷେତ୍ରରେ ସେ ଭରଣପୋଷଣ କରିାରିବେ ନାହିଁ କି ଦେଇପାରିବେ ନାହିଁ । ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ ଯେ, ଆପଣ ଜଣେ ସକ୍ଷମ ବ୍ୟକ୍ତି ହୋଇଥିବାରୁ ପରିଶ୍ରମ କରି ପରିବାର ପ୍ରତିପୋଷଣ କରନ୍ତୁ । ଯେହେତୁ ଆପଣ ଘର ଛାଡ଼ିଛନ୍ତି ତେଣୁ ସେକ୍ଷେତ୍ରରେ ସ୍ତ୍ରୀ ଓ ପିଲାମାନଙ୍କୁ ଭରଣ ପୋଷଣ ଦେବାକୁ ବାଧ୍ୟ । ଏକ୍ଷେତ୍ରରେ ଖଣ୍ଡପୀଠ ସ୍ୱାମୀଙ୍କ ସମସ୍ତ ଯୁକ୍ତିକୁ ଖାରଜ କରିଦେଇଥିଲେ । ଅନ୍ୟପକ୍ଷରେ ତାଙ୍କ ପତ୍ନୀଙ୍କୁ ମାସିକ ୧୦ ହଜାର ଓ ପିଲାଙ୍କୁ ୬ ହଜାର ଲେଖାଏଁ ଭରଣପୋଷଣ ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୦ରୁ ଏହି ବିବାହ ବିଚ୍ଛେଦ ମାମଲା ଚାଲିଆସୁଥିଲା । ପ୍ରଥମେ ଏହି ମାମଲା ହରିଆଣା ଫ୍ୟାମିଲି କୋର୍ଟକୁ ଯାଇଥିଲା । ପରେ ଏହା ପଞ୍ଜାବ ଓ ହରିଆଣା ହାଇକୋର୍ଟକୁ ଯାଇଥିଲା । ତେବେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏବଂ ଫ୍ୟାମିଲି କୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି । ଏହି ରାୟକୁ ନେଇ ଏବେ ଜୋର୍‌ଦାର ଚର୍ଚ୍ଚା ଲାଗି ରହିଛି ।