ଆସୁଛି ଆଉ ଦୁଇ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : (ସଂକେତ୍ ଟିଭି) ବର୍ତ୍ତମାନ ଚାଲୁ ରହିଥିବା ଦ୍ୱିତୀୟ ଘୂର୍ଣ୍ଣିବଳୟ ଦ୍ୱାରା ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପ ବର୍ଷା ୧୨ ତାରିଖ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଏହି ଘୂର୍ଣ୍ଣିବଳୟ ୧୦ ତାରିଖରେ ତାମିଲନାଡୁର ସ୍ଥଳଭାଗରେ ରହିବ । ଏହାର ଗୋଟିଏ ଅଂଶ ୧୨ ତାରିଖରେ ଆରବ ସାଗରରେ ପହଞ୍ଚିବ । ୧୪ରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ଅଥବା ଦ୍ୱିତୀୟ ଘୂର୍ଣ୍ଣିବଳୟର ଅଂଶବିଶେଷ ଭାବେ ତାମିଲନାଡୁ ଉପକୂଳର ଦକ୍ଷିଣ ବଙ୍ଗୋପସାଗରରେ ଏହି ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ସାରା ରାଜ୍ୟରେ ୧୭ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପ ବର୍ଷା ହୋଇପାରେ । ସମ୍ଭାବ୍ୟ ଚତୁର୍ଥ ଘୂର୍ଣ୍ଣିବଳୟଟି ୧୭ ତାରିଖରେ ଦକ୍ଷିଣ ଥାଇଲାଣ୍ଡ ଊପକୂଳ ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ । ଏହା ଦ୍ୱିତୀୟ ଓ ତୃତୀୟ ଅପେକ୍ଷା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ମଡେଲ କହୁଛି ଯେ, ଏହା ସେହି ତାମିଲନାଡୁ ଉପକୂଳକୁ ମୁହାଁଇପାରେ । ଓଡିଶାରେ ଏହା ଦ୍ୱାରା ଭଲ ବର୍ଷା ହେବ । ତେବେ ଏହା କେତେ ଘନୀଭୂତ ହେବ ତାହା ବର୍ତ୍ତମାନ ସ୍ପଷ୍ଟ କହିହେବ ନାହିଁ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।