CulturalFeaturedLatest

ବାଲ୍ୟ ବିବାହ ପାଇଁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ବଦନାମ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଏକବିଂଶ ଶତାବ୍ଦୀରେ ଦେଶ ଆଜି ନାନାବିଧ ଉନ୍ନତିର ଶିଖର ଛୁଇଁଥିବା ବେଳେ ଏବେ ବି କିଛି ରାଜ୍ୟର କାରନାମା ସେମାନଙ୍କୁ ବଦ୍‌ନାମ କରୁଛି । କିଛି କୁପ୍ରଥାକୁ ବିଲୋପ କରିବା ପାଇଁ ନାନାବିଧ ଆଇନ୍‌ ପ୍ରଣୟନ କରାଯାଉଥିଲେ ବି ଏବେବି ବାଲ୍ୟବିବାହ ଓ ଗୁଣିଗାରେଡ଼ି ଭଳି କ୍ରୁଥା ସମାଜରେ ଦେଖିବାକୁ ମିଳୁଛି । ତାଜା ସର୍ଭେ ମୁତାବକ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଶର ଏଭଳି ଦୁଇ ରାଜ୍ୟ ଯେଉଁଠାରେ ଅଧିକାଂଶ ଝିଅମାନଙ୍କୁ ୨୧ ବର୍ଷରୁ କମ୍ ବୟସରେ ବିବାହ କରିଦିଆଯାଏ । ସଦ୍ୟ ଡେମୋଗ୍ରାଫିକ୍‌ ସାମ୍ପୁଲ୍ ସର୍ଭେ ରିପୋର୍ଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ଖୁଲାସା କରିଛି ।

ସର୍ଭେ ଅନୁଯାୟୀ ରାଷ୍ଟ୍ରୀୟ ସ୍ତରରେ ୨୯.୫% ଝିଅଙ୍କ ବିବାହ ୨୧ ବର୍ଷରୁ କମ୍ ବୟସରେ କରାଯାଇଥାଏ । ପଶ୍ଚିମବଙ୍ଗରେ ଏହା ୫୪.୯% ଥିବାବେଳେ ଝାଡ଼ଖଣ୍ଡରେ ୫୪.୬% ରହିଛି । ଗୃହ ମନ୍ତ୍ରଣାଳୟର ରେଜିଷ୍ଟର ଜେନେରାଲ ଓ ଜନଗଣନା କମିଶନରେଟ୍ ପକ୍ଷରୁ ନିକଟରେ କରାଯାଇଥିବା ସର୍ଭେରେ କୁହାଯାଇଛି କି ରାଷ୍ଟ୍ରୀୟ ସ୍ତରରେ ୧୮ ବର୍ଷରୁ କମ୍‌ ବୟସରେ ଝିଅମାନଙ୍କ ବିବାହର ପ୍ରତିଶତ ୧.୯ ରହିଛି । ଏହି ସର୍ଭେରେ କେରଳରେ ୦% ଥିବାବେଳେ ଝାଡ଼ଖଣ୍ଡରେ ୫.୮% ରହିଛି ।

ସେହିପରି ଝାଡ଼ଖଣ୍ଡର ଗ୍ରାମାଞ୍ଚଳାରେ ବାଲ୍ୟ ବିବାହ ୭.୩% ରହିଥିବା ବେଳେ ସହରାଞ୍ଚଳରେ ଏହା ୩% ରହିଛି । ଏହାର ମଧ୍ୟରେ ଝାଡ଼ଖଣ୍ଡକୁ ନେଇ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ବି ସାମ୍ନାକୁ ଆସିଛି । ଏହି ଅନୁଯାୟୀ ୨୦୧୫ରେ ଝାଡ଼ଖଣ୍ଡରେ ଗୁଣିଗାରେଡ଼ି ସନ୍ଦେହରେ ୩୨ ଲୋକଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୬ରେ ୨୭, ୨୦୧୭ରେ ୧୯, ୨୦୧୮ରେ ୧୮, ୨୦୧୯ ଓ ୨୦୨୦ରେ ୧୫ଜଣ ଲେଖାଏଁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା ।