ରୋହିତ ଶର୍ମାଙ୍କ ପାଇଁ ଟି-୨୦ ବିଶ୍ୱକପ ଚାଲେଞ୍ଜ

ମୁମ୍ବାଇ: (ସଂକେତ୍ ଟିଭି)ଆସନ୍ତା ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଟି- ୨୦ କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗୁରୁବାର ସକାଳେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପରିଚାଳିତ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି । ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବ ବିଶ୍ୱକପର ପ୍ରଥମ ରାଉଣ୍ଡ ମୁକାବିଲା । ଏହି ବିଶ୍ୱକପ ପାଇଁ ସିଧା ସଳଖ ଯୋଗ୍ୟତା ହାସଲ କରି ନ ଥିବା ପ୍ରଥମ ରାଉଣ୍ଡରେ ଖେଳିବେ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା । ଏମାନଙ୍କ ମଧ୍ୟରୁ ୪ ଦଳ ସୁପର-୧୨ ପର୍ଯ୍ୟାୟରେ ସାମିଲ ହେବେ ।

ପୂର୍ବରୁ ଆଇସିସି ମାନ୍ୟତା ଅନୁଯାୟୀ, ୮ ଦଳ ସିଧାସଳଖ ସୁପର- ୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି । ଆସନ୍ତା ୨୨ ତାରିଖରୁ ସୁପର- ୧୨ ପର୍ଯ୍ୟାୟ ପ୍ରତିଯୋଗିତା ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବା ପାଇଁ ଥିବାବେଳେ ୨୩ ତାରିଖ ଦିନ ଭାରତ-ପାକିସ୍ତାନ ପ୍ରଥମ ସୁର ପର୍ଯ୍ୟାୟ ମହାମୁକାବିଲା ମ୍ୟାଚ୍ ଖେଳି ଆରମ୍ଭ କରିବେ ବିଶ୍ୱକପ୍ ଅଭିଯାନ ।

ଗତ ବର୍ଷ ୟୁନାଇଟେଡ୍‌ ଆରବ ଏମରିଟ୍ସେରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ଅତି ନୈରାଶ୍ୟଜନକ ଥିଲା । କାରଣ ଗୃପ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ ଶେଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇ ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଅଗ୍ରଗତି କରି ।ରିଲା ନାହିଁ । ତେବେ ଗତ ବର୍ଷ ବିରାଟ କୋହଲି ଦଳର ଅଧିନାୟକ ଥିବାବେଳେ ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚଳିତ ବର୍ଷର ଟି- ୨୦ ବିଶ୍ୱକପ୍ ଖେଳିବ । କୋହଲି ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ଠାରୁ କେବେ ଭାରତକୁ କୌଣସି ବିଶ୍ୱକପ୍‌ରେ ବିଜୟୀ କରାଇପାରିନଥିବା ବେଳେ ରୋହିତ ଶର୍ମାଙ୍କୁ ଭାଗ୍ୟ ସାହାରା କିରି ଦେବ ତାହା ପ୍ରତୀକ୍ଷାର ବିଷୟ ।

ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ ବ୍ୟାଟର୍‌ ଅତ୍ୟନ୍ତ ଦକ୍ଷ ଓ ଅଭିଜ୍ଞ । କେବଳ ଅଷ୍ଟ୍ରେଲିଆର ଫାଷ୍ଟ ଓ ବାଉନ୍ସି ପିଚ୍‌ରେ ଖାପ ଖୁଆଇ ଖେଳିପାରିଲେ ନିଶ୍ଚନ୍ତ ଭଲ ଫଳାଫଳ ଆଶା କରାଯାଇପାରିବ । ଅବଶ୍ୟ ଭାରତୀୟ ଦଳ ୨୦୧୮ ଓ ୨୦୨୦-୨୧ରେ ଅଷ୍ଟ୍ରେଲିଆ ମାଟିରେ ସୀମିତ ଓଭର ଓ ଟେଷ୍ଟ ସିରିଜ ଜିତିବା ସହ ଇତିହାସ ରଚିଥିଲେ । ତେଣୁ ସେହି ସିରିଜ୍‌ ଖେଳିଥିବା ଅଧିକାଂଶ ଖେଳାଳି ବର୍ତ୍ତମାନ ଟି-୨୦ ବିଶ୍ୱକପ୍ ଦଳରେ ସ୍ଥାନ ପାଇଛନ୍ତି । ଭାରତୀୟ ଦଳ ପ୍ରଥମେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିରୋଧରେ ୱାର୍ମଅପ୍ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ପର୍ଥ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳିବା ପରେ ଭାରତୀୟ ଦଳ ବ୍ରିସବେନର ଗାବା ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିରୋଧରେ ପରବର୍ତ୍ତୀ ଦୁଇ ୱାର୍ମଅପ୍ ମ୍ୟାଚ ଖେଳିବେ ।

ଆସନ୍ତା ୨୩ ତାରିଖ ଦିନ ପାକିସ୍ତାନ ବିପକ୍ଷ ପ୍ରଥମ ସୁପର-୧୨ ପର୍ଯ୍ୟାୟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିକ୍ଷ ମ୍ୟାଚ ବିଶେଷ ଗୁରୁତ୍ୱୂର୍ଣ୍ଣ । କାରଣ ବିଶ୍ୱକପ ମୁକାବିଲା ପାଇଁ ଭାରତୀୟ ଦଳ କେତେଦୂର ଦକ୍ଷ ଓ ପ୍ରସ୍ତୁତ ତାହା ଏହି ଦୁଇ ମ୍ୟାଚରେ ପ୍ରମାଣିତ ହେବ । ତେବେ ଅଧିନାୟକ ରୋହିତ ଶର୍ମା ଏହି ବିଶ୍ୱକପ ଚ୍ୟାଲେଞ୍ଜକୁ କିରି ମୁକାବିଲା କରିବେ ତାହା ଦେଖିବାକୁ ବାକି ରହିଲା । ଭାରତ ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ୱକପ୍‌ରେ ଚମ୍ପିୟାନ ହେବା ପରେ ଆଉ କେବେ ଏହି ସଫଳତା ଦୋହରାଇ ପାରିନାହିଁ ।