ନିର୍ବାଚନ ଆୟୋଗ ଆଗରେ ଦୁଇ ନାଁ ଏବଂ ନିର୍ବାଚନୀ ଚିହ୍ନ ରଖିଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଉଦ୍ଧବ ଠାକରେ ଗୋଷ୍ଠୀ ମୁମ୍ୱାଇର ଅନ୍ଧେରୀ ଇଷ୍ଟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗକୁ ଦୁଇଟି ନାଁ ଏବଂ ନିର୍ବାଚନୀ ଚିହ୍ନର ଲିଷ୍ଟ ଦେଇଛି । ପ୍ରଥମଟି ଶିବସେନା ବାଲାସାହେବ ଠାକରେ ଓ ଦ୍ବିତୀୟଟି ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରହିଛି । ଏବେ ନିର୍ବାଚନ ଆୟୋଗ ସ୍ଥିର କରିବେ ଉଦ୍ଧବଙ୍କୁ ଦଳର ନାଁ ଓ ଚିହ୍ନ କ’ଣ ମିଳିବ ।

ସୂଚନା ଅନୁସାରେ, ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଶିବସେନାର ନାଁ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଲଢେଇ ଜାରି ରହିଛି । ଏହାରି ଭିତରେ ଶନିବାର ନିର୍ବାଚନ ଆୟୋଗ ଶିବସେନା ନାଁ ଏବଂ ଚିହ୍ନ ବ୍ୟବହାର ଉପରେ ରୋକ ଲଗାଇଥିଲେ । ଏହାପରେ ଦୁଇଟି ଦଳୀୟ ନାଁ ପ୍ରସ୍ତାବ ଦେଇଛନ୍ତି ଠାକରେ ଗୋଷ୍ଠୀ ।

ସୂଚନା ଅନୁସାରେ, ନାଁ ପାଇଁ ‘ଶିବସେନା ବାଲାସାହେବ ଠାକରେ’ ହେଉଛି ଉଦ୍ଧବ ଗୋଷ୍ଠୀର ପ୍ରଥମ ପସନ୍ଦ । ସେହିପରି ଦ୍ୱିତୀୟ ପସନ୍ଦ ଭାବେ ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ନାଁର ପ୍ରସ୍ତାବ ଦିଆଯାଇଛି । ଉଦ୍ଧବ ଗୋଷ୍ଠୀ ପକ୍ଷରୁ ବାଲାସାହେବ ଠାକରେ ନାଁକୁ ବ୍ୟବହାର କରାଯାଇଛି । ସେହିପରି ଚିହ୍ନ ଭିତରେ ତ୍ରିଶୂଲ, ଉଦୟ ସୂର୍ଯ୍ୟ ଏବଂ ମଶାଲକୁ ନିଜ ପସନ୍ଦର ନିର୍ବାଚନୀ ଚିହ୍ନ ଭାବେ ନିର୍ବାଚନ ଆୟୋଗଙ୍କ ଆଗରେ ରଖିଛି ଉଦ୍ଧବ ଗୋଷ୍ଠୀ ।

ପାର୍ଟିର ଦୁଇ ଗୋଷ୍ଠୀ ଦ୍ୱାରା ନାଁ ଏବଂ ନିର୍ବାଚନୀ ଚିହ୍ନ ଉପରେ ଦାବି କରାଯିବା ପରେ ନିର୍ବାଚନ ଆୟୋଗ ଅନ୍ତରୀଣ ଆଦେଶ ଜାରି କରି ଏହା ଉପରେ ରୋକ ଲଗାଇଥିଲେ । ଏହାପରେ ସୋମବାର ସୁଦ୍ଧା ନିଜ ନିଜ ପାର୍ଟି ପାଇଁ ତିନୋଟି ଲେଖାଏଁ ନାଁ ଏବଂ ନିର୍ବାଚନୀ ଚିହ୍ନର ପ୍ରସ୍ତାବ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଗୋଷ୍ଠୀ ଦ୍ୱାରା ଦିଆଯାଇଥିବା ନାଁ ଏବଂ ଚିହ୍ନ ମଧ୍ୟରୁ ଗୋଟିଏର ଉପଯୋଗ କରିବା ପାଇଁ ଆଯୋଗ ଅନୁମତି ଦେବେ ।