ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ୮୨ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଦେହାନ୍ତ ହୋଇଛି । ୟୁରିନ ସଂକ୍ରମଣ, ରକ୍ତଚାପ ସମସ୍ୟା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେତୁ ମୁଲାୟମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେ ଗତ ୧୦ ଧରି ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସା ଆଇସିୟୁ ଲାଇଫ ସପୋର୍ଟ ସିଷ୍ଟମରେ ଚାଲିଥିଲା। ଦୀର୍ଘଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସୋମବାର ସକାଳ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ରେ ଇଟାୱା ଜିଲ୍ଲାର ସୈଫେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସୁଘର ସିଂ ଯାଦବ ଜଣେ କୃଷକ ଥିଲେ । ମୁଲାୟମ ସିଂ ଯାଦବ ବର୍ତ୍ତମାନ ମୁଲାୟମ ସିଂ ମେନପୁରୀ ଆସନରୁ ଲୋକସଭା ସାଂସଦ ଥିଲେ । ସେ ତିନିଥର ୟୁପିର ସିଏମ୍ ଥିଲେ । ସେ ମଧ୍ୟ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଏହା ବ୍ୟତୀତ ମୁଲାୟମ ସିଂ ୮ ଥର ବିଧାୟକ ଏବଂ ୭ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ଦୁଇଟି ବିବାହ କରିଥିଲେ ମୁଲାୟମ ସିଂ ଯାଦବ । ତାଙ୍କର ପ୍ରଥମ ପତ୍ନୀ ମାଳତୀ ଦେବୀ, ଯିଏକି ମେ ୨୦୦୩ରେ ମୃତ୍ୟୁବରଣ କରିଥିଲେ । ଯିଏକି ଅଖିଳେଶ ଯାଦବଙ୍କ ମା । ମୁଲାୟମ ଦ୍ୱିତୀୟ ଥର ସାଧନା ଗୁପ୍ତାଙ୍କୁ ବିବାହ କରିଥିଲେ । ମୁଲାୟମ ସିଂ ଏବଂ ସାଧନାଙ୍କ ପୁଅର ନାମ ହେଉଛି ପ୍ରତୀକ ଯାଦବ । ସମ୍ପ୍ରତି ସାଧନାଙ୍କ ବି ଦେହାନ୍ତ ହୋଇସାରିଛି ।

ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ କରି ନିଜର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୁଲାୟମ ସିଂହ ଯାଦବଙ୍କ ନିଧନ ସାରା ଦେଶ ପାଇଁ ଅପୂରଣୀୟ କ୍ଷତି । ସାଧାରଣ ପରିବେଶରୁ ଆସିଥିବା ମୁଲାୟମଙ୍କ ବ୍ୟକ୍ତିତ୍ୱ ଅତି ଅସାଧାରଣ । ତାଙ୍କର ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଦୁଃଖ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମୁଲାୟମ ଜୀ ୟୁପି ଏବଂ ରାଷ୍ଟ୍ରୀୟ ରାଜନୀତିରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ରକ୍ଷା ମନ୍ତ୍ରୀ ଭାବେ ସେ ମଜଭୁତ ଭାରତ ପାଇଁ ବହୁତ ଭଲ କାମ କରିଛନ୍ତି ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁଲାୟମଙ୍କ ବିଯୋଗରେ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହି ଖବର ଜାଣିବା ପରେ ମୁଁ ବହୁତି ଦୁଃଖୀତ । ଦଳିତଙ୍କ ଉନ୍ନତୀରେ ସମାଜବାଦୀ ନେତାଙ୍କ ଯୋଗଦାନ ସର୍ବଦା ମନେରହିବ । ଶୋକସନ୍ତପ୍ତ ପରିବାରକୁ ମୋର ଦୁଃଖ ଓ ସମବେଦନା । ପ୍ରଭୁ ତାଙ୍କର ଅମର ଆତ୍ମାର ସଦଗତି କରନ୍ତିୁ ଏହାହିଁ ମୋର ପ୍ରାର୍ଥନା ।

ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୁଲାୟମଙ୍କ ବିୟୋଗରେ ଶୋକ ଜଣାଇଛନ୍ତି ।