ପ୍ରଳୟ ଆଣିବ ପରମାଣୁ ଯୁଦ୍ଧ, ୪୫ ମିନିଟ୍ ମଧ୍ୟରେ ହେବ ୩୧ଲକ୍ଷ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ୭ମାସ ପୂରଣ ହୋଇସାରିଛି । ଏହି ଯୁଦ୍ଧରେ ରୁଷ୍ ସେନା ୟୁକ୍ରେନ୍‌ର ବହୁ ବଡ଼ ବଡ଼ ସହରକୁ ଧ୍ୱସ୍ତସ୍ତୁପରେ ପରିଣତ କରିସାରିଲେଣି । ଦୁଇ ଦେଶର ଲକ୍ଷାଧିକ ଯବାନଙ୍କ ଜୀବନ ଗଲାଣି । ଏହାରି ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି କି ସୀମା ସୁରକ୍ଷା ପାଇଁ ସେ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରୟୋଗ କରିବାକୁ ପଛଘୁଞ୍ଚା ଦେବେନାହିଁ ।

ରୁଷ୍‌ର ଏଭଳି ବୟାନ ପରେ ପାଶ୍ଚାତ୍ୟ ରାଷ୍ଟ୍ରର ଚିନ୍ତା ବଢ଼ିଯାଇଛି । ପରମାଣୁ ଯୁଦ୍ଧ କଥା ମନେପଡ଼ିଲେ ଆଜିବି ଦେହ ଶୀତେଇ ଉଠେ । ୧୯୪୫ରେ ଜାପାନ ଉପରେ ଆମେରିକା ଯେଉଁ ପରମାଣୁ ବୋମା ନିକ୍ଷେପ କରିଥିଲା ତାହାର କୁପରିଣାମ ସାରା ଦୁନିଆ ଦେଖିଛି । ତେଣୁ ଯଦି ରୁଷ୍ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରେ ତେବେ ଖାଲି ୟୁକ୍ରେନ୍‌ ନୁହେଁ ବରଂ ସାରା ବିଶ୍ୱରେ ପ୍ରଳୟ ଆସିବ । ତେବେ ୟୁକ୍ରେନ୍ ଉପରେ ରୁଷ୍‌ର ପରମାଣୁ ଆକ୍ରମଣ ପରବର୍ତ୍ତୀ ପର୍ଯ୍ୟାୟରେ ଆମେରିକା ଓ ରୁଷ୍‌ ମଧ୍ୟରେ ପରମାଣୁ ଯୁଦ୍ଧର ରୂପ ନେଇପାରେ ବୋଲି ଆମେରିକା ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟ ଆକଳନ କରିଛି । ଏକ ୪ମିନିଟ୍‌ର କାଳ୍ପନିକ ଭିଡିଓ ପ୍ରସ୍ତୁତ କରି ଏହା ଉପରେ ଆଲୋକପାତ କରିଛି ।

ଆକଳନ ଅନୁଯାୟୀ ରୁଷ୍ ଓ ଆମେରିକା ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ମାତ୍ର ୪୫ ମିନିଟ୍ ମଧ୍ୟରେ ୩୧ଲକ୍ଷ ଲୋକଙ୍କ ମୃତ୍ୟୁ ହେବ । ସର୍ବୋପରି ପୂରା ୟୁରୋପ, ଏସିଆ ଓ ଆମେରିକାରେ ସଂଘର୍ଷର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଶ୍ୱରେ ୯ କୋଟି ଲୋକଙ୍କ ଜୀବନ ଚାଲିଯିବ । ଅନ୍ୟପକ୍ଷରେ ସ୍ୱିଜରଲାଣ୍ଡର ଆଇସିଏଏନ୍ ସଂସ୍ଥାର ସୂଚନା ମୁତାବକ ଯଦି ୧୦ଟି କିମ୍ବା ତା’ଠାରୁ ଅଧିକ ପରମାଣୁ ବୋମା ନିକ୍ଷେପ କରାଯାଏ ତେବେ କେବଳ କୋଟି କୋଟି ଲୋକ ଖାଲି ମରିବେ ନାହିଁ ବରଂ ବିଶ୍ୱ ଜଳବାୟୁରେ ଏକ ବିରାଟ ପରିବର୍ତ୍ତନ ସୃଷ୍ଟି ହେବ । ପରମାଣୁ ଯୁଦ୍ଧ ହେଲେ ପୃଥିବୀର ୧୦ ପ୍ରତିଶତ ସ୍ଥାନରେ ସୂର୍ଯ୍ୟାଲୋକ ପଡ଼ିବ ନାହିଁ ।

ସାରା ବିଶ୍ୱରେ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଷ୍ଟକ୍‌ହୋମ୍ ଇଣ୍ଟ୍‌ରନ୍ୟାସନାଲ୍‌ ପିସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ଅନୁଯାୟୀ ପୂରା ବିଶ୍ୱରେ ଏବେ ୧୩ହଜାର ୮୬୫ଟି ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଏହି ପରମାଣୁ ବୋମା ପୃଥିବୀକୁ ୫୦ଥର ସଂପୂର୍ଣ୍ଣ ଧ୍ୱଂସ କରିବାକୁ ସକ୍ଷମ । ବର୍ତ୍ତମାନ ବିଶ୍ୱର ୯ଟି ଦେଶ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ସେମାନେ ହେଲେ ରୁଷ୍‌, ଆମେରିକା, ଚୀନ୍‌, ଫ୍ରାନ୍ସ, ବ୍ରିଟେନ୍‌, ଭାରତ, ପାକିସ୍ତାନ, ଇସ୍ରାଏଲ୍ ଓ ଉତ୍ତରକୋରିଆ ।