ଅର୍ଚ୍ଚନା ନାଗଙ୍କ ସତ ପଦାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର : ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର : (ସଂକେତ୍ ଟିଭି) ଅର୍ଚ୍ଚନା ନାଗଙ୍କ ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ। ଏହା ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅର୍ଚ୍ଚନାଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରମଣ୍ଡଳ ସଦସ୍ୟ, ବିଜେଡି ବିଧାୟକ, ମନ୍ତ୍ରୀ ଓ ଅଫିସରଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଉଥିବା ସାଲୁଜା ଅଭିଯୋଗ କରିଛନ୍ତି । ଏହାସହ ଅର୍ଚ୍ଚନା ନାଗ ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବାର ଭୟ ରହୁଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ, ” ଯେକୌଣସି ଅପରାଧିକ ମାମଲାରେ ରାଜ୍ୟ ସରକାରଙ୍କ ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ଆସିଲେ ତାହା ଚପାଇ ଦିଆଯାଇବାକୁ ଚେଷ୍ଟା କରାଯାଏ । ମମତା ମେହେର ଭଳି ଅର୍ଚ୍ଚନା ଘଟଣାରେ ମଧ୍ୟ ଲାପଟପ୍ ଓ ମୋବାଇଲର ସତ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ବିଜେଡି ନେତା ସଫା ପୋଷାକ ପିନ୍ଧି ଘୃଣିତ କାର୍ଯ୍ୟ କରୁଛନ୍ତି । ଲେଡି ବ୍ଲାକମେଲରଙ୍କ ଫାସରେ ବିଜେଡି ବିଧାୟକ ମନ୍ତ୍ରୀ ଓ ଅଫିସର ଏବଂ କିଛି ବିଜେପି ନେତା ଫସିଛନ୍ତି । ଏହି ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବା ନେଇ ସରକାର ଭୟ କରୁଛନ୍ତି ।” ଅର୍ଚ୍ଚନା ନାଗର ବେଆଇନ ସମ୍ପତ୍ତି ଜବତ କରି ମୋବାଇଲ ଓ ଲାପଟପ ସତ ପଦାକୁ ଅଣାଯାଉ ଏବଂ ଏହି ଘଟଣାରେ ଏସଆଇଟି ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।

ଏଣେ ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପୁଲିସ ଘଟଣା ଉପରେ ଘଣ୍ଟ ଘୋଡ଼ାଉଛି। ବଡ଼ ବଡ଼ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତା ଓ ବ୍ୟବସାୟୀ ଏଥିରେ ସମ୍ପୃକ୍ତ ଅଛନ୍ତି। ସମ୍ପୃକ୍ତ ଥିବା ଚେହେରା ସବୁ ବାହାରକୁ ଆସିବାର ଆବଶ୍ୟକତା ରହିଛି। ମହିଳାଜଣକ ଅତ୍ୟନ୍ତ କଦର୍ଯ୍ୟ ଉପାୟରେ ପଇସା ରୋଜଗାର କରିଛନ୍ତି, ଏଥିରେ କେଉଁମାନେ ସହାୟତା କରିଛନ୍ତି, ତାହା ମଧ୍ୟ ସାମ୍ନାକୁ ଆସିବାର ଆବଶ୍ୟକତା ରହିଛି। ତଦନ୍ତ ପ୍ରକ୍ରିୟାରେ ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର ଏବଂ ଚିଟଫଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ଡାଟା ନଷ୍ଟ କରିବା ଭଳି ଆଜି ବି ସମାନ ଢଙ୍ଗରେ ଡାଟା ନଷ୍ଟ କରି କିଛି ଲୋକଙ୍କୁ ବଞ୍ଚାଇବାକୁ ପ୍ରକ୍ରିୟା ଓ ପ୍ରଚେଷ୍ଟା ଚାଲିଛି। ସେ ଆହୁରି କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ନ୍ୟାୟ ଏବଂ ଆଇନ ତା ରାସ୍ତାରେ ଯିବ, ଏହାକୁ ଯଦି ଅବଲମ୍ବନ କରନ୍ତେ ନିହାତି ରୂପେ ଅନେକଗୁଡ଼ିଏ ସତ୍ୟତା ବାହାରକୁ ଆସନ୍ତା। ହନିଟ୍ରାପ କେସ ଓଡ଼ିଶା ପ୍ରଦେଶରେ ଯାହା ଓଡ଼ିଶାର ସଂସ୍କୃତି ବିରୋଧୀ କଥା।

ଉଲ୍ଲେଖଯୋଗ୍ୟ, ରାଜନୈତିକ ଦଳର ନେତା, ବଲିଉଡ, ବ୍ୟବସାୟୀଙ୍କ ନାମ ଅର୍ଚ୍ଚନାଙ୍କ ସହ ଛନ୍ଦି ହୋଇଛି । ଲେଡି ବ୍ଲାକମେଲରଙ୍କ ସହ ବଡ ବଡ ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀମାନଙ୍କ ଫଟୋକୁ ନେଇ ଧୀରେ ଧୀରେ ଖୁଲାସା ହେବା ପରେ ନେତା ଓ ଅଧିକାରୀଙ୍କ ଶିବିରରେ ଏବେ ଛନକା ପଶିଛି । ବର୍ତ୍ତମାନ ଅଭିଯୁକ୍ତ ଅର୍ଚ୍ଚନା ଏବେ ପୋଲିସ ହେପାଜତରେ ରହିଛନ୍ତି ।