ସୌରଭ ଗାଙ୍ଗୁଲିଙ୍କ ଉପରେ ରାଜନୈତିକ ପ୍ରତିଶୋଧ ନେଉଛି ବିଜେପି : ଟିଏମସି

କୋଲକାତା : (ସଂକେତ୍ ଟିଭି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ନୂତନ ଅଧ୍ଯକ୍ଷ ଭାବରେ ରୋଜର ବିନ୍ନି ଚୟନ କରିବାର ଚର୍ଚ୍ଚା ହେଉଛି । ତେବେ ସୌରଭ ଗାଙ୍ଗୁଲିଙ୍କୁ ହଟାଯିବାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ତୃଣମୂଳ କଂଗ୍ରେସ (ଟିଏମସି) ଅଭିଯୋଗ କରିଛି ଯେ, ବିଜେପି ସୌରଭ ଗାଙ୍ଗୁଲିଙ୍କୁ ଅପମାନିତ ପ୍ରୟାସ କରୁଛି । କାରଣ ସେ ବିଜେପିରେ ଯୋଗ ଦେଇ ନଥିଲେ । ତେଣୁ ତାଙ୍କୁ ପୁନର୍ବାର ଅଧ୍ୟକ୍ଷ ପଦ ଦିଆଯାଉ ନାହିଁ ।

ଟିଏମସି ସାଂସଦ ଶାନ୍ତନୁ ସେନ କହିଛନ୍ତି ଯେ, “ଗୃହମନ୍ତ୍ରୀ ଅମିତ ଶାହ ସୌରଭ ଗାଙ୍ଗୁଲିଙ୍କ ଘରକୁ ରାତ୍ରୀ ଭୋଜନ ପାଇଁ ଆସିଥିଲେ । ସେ ଚାହୁଁଥିଲେ ଗାଙ୍ଗୁଲି ବିଜେପିରେ ଯୋଗ ଦିଅନ୍ତୁ । ସୌରଭ ଗାଙ୍ଗୁଲିଙ୍କୁ ଅନେକ ଥର ବିଜେପିରେ ଯୋଗଦେବାକୁ କୁହାଯାଇଥିଲା । ସେ ବିଜେପିରେ ଯୋଗ ଦେଇ ନ ଥିବାରୁ ଓ ମମତା ବାନାର୍ଜୀଙ୍କ ରାଜ୍ୟରୁ ହୋଇଥିବାରୁ ତାଙ୍କୁ ବୋଧହୁଏ ଏଥିପାଇଁ ମୂଲ୍ୟ ପରିଶୋଧ କରିବାକୁ ପଡ଼ିଛି ।”

ସେପଟେ ବିଜେପି ସାଂସଦ ଦିଲୀପ ଘୋଷ ପାଲଟା ଆକ୍ରମଣ କରି କହିଛନ୍ତି ଯେ, “ଟିଏମସି ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଓ ଏହି ଲୋକମାନେ କେବଳ ରାଜନୀତି କରୁଛନ୍ତି । ବଙ୍ଗଳା ଏକଦା ଖେଳରେ ସବୁଠାରୁ ଆଗରେ ଥିଲା । ଆଜି ଖେଳରେ ବଙ୍ଗଳା କେଉଁଠାରେ ଅଛି । କ୍ରିକେଟ୍, ଫୁଟବଲ୍ … ଯେଉଁଠାରେ ସୌରଭ ଗାଙ୍ଗୁଲି ପରି କ୍ରିକେଟର ଆମକୁ ମିଳୁଛି, ଆଜି ସେହି କ୍ରିକେଟ୍ କେଉଁଠାରେ ଅଛି । ଆଜି ଜାତୀୟ ଦଳରେ କେତେ କ୍ରିକେଟର ଅଛନ୍ତି? ଯେଉଁମାନେ ସୌରଭ ଗାଙ୍ଗୁଲିଙ୍କ ପାଇଁ କେବେ ସ୍ୱର ଉତ୍ତୋଳନ କରିନାହାଁନ୍ତି, ସେମାନେ ଆଜି ତାଙ୍କ ପାଇଁ ଲୁହ ଝଡାଉଛନ୍ତି । ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ସେଥିରେ ଏତେ ରାଜନୀତିର ଆବଶ୍ୟକତା କ’ଣ ରହିଛି?”

ତୃଣମୂଳ କଂଗ୍ରେସ କହିଛି ଯେ, ଏହା “ରାଜନୈତିକ ପ୍ରତିଶୋଧ” ର ଏକ ଉଦାହରଣ ଯେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହା ବିସିସିଆଇ ସଚିବ ଭାବରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିବେ । କିନ୍ତୁ ଗାଙ୍ଗୁଲି ଏହାର ଅଧ୍ୟକ୍ଷ ଭାବରେ ତାହା କରିପାରିବେ ନାହିଁ ।