୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ସମେତ ୩ ଗିରଫ

ବସ୍ତା : (ପ୍ରଶାନ୍ତ କୁମାର ସେନାପତି) ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଓ କମର୍ଦା ଥାନା ଅଂଚଳରୁ ଅବକାରୀ ବିଭାଗ ୮୦୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏଥିରେ ସଂପୃକ୍ତ ଜଣେ ମହିଳା ସମେତ ୩ ବ୍ରାଉନ ସୁଗାର ବେପାରୀ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ଟଙ୍କା ହେବ ।

ଗିରଫ ବ୍ରାଉନସୁଗାର ବେପାରୀମାନେ ହେଲେ କମର୍ଦା ଥାନା ଅଂଚଳର ଦିବାକର ନାୟକ, ଜଳେଶ୍ୱର ଥାନା ପଥର ପୁରା ଅଞ୍ଚଳର ସେକ ଶୁଭାନୁଦ୍ଦିନ ଏବଂ ଅନିତା ବାରିକ ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଏବଂ କମର୍ଦାଥାନା ଅଂଚଳରେ ବ୍ରାଉନ ସୁଗାର ବେପାର ଦିନକୁ ଦିନ ବଢି ଚାଲିଛି । ଆଜି ସକାଳେ ଜଳେଶ୍ୱର, ଭୋଗରାଇ ଅବକାରୀ ଓ କଟକ କେନ୍ଦ୍ରାଞ୍ଚଳର ୟୁନିଟ -୨ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ମିଳିତ ଭାବରେ ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥର ହୋଟେଲ ରାଜପଥ ସମ୍ମୁଖ ଏବଂ ୫୭ନଂ ରାଜ୍ୟ ରାଜପଥ କମର୍ଦା ଥାନା ଅଂଚଳରେ ଚଢ଼ାଉ କରିଥିଲେ । ଏହି ସମୟରେ ୮୦୦ଗ୍ରାମର ବ୍ରାଉନସୁଗାର ଏବଂ ଦୁଇ ବାଇକ ଜବତ କରିବା ସହିତ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଜବତ ବ୍ରାଉନ ସୁଗାର ସେମାନେ କେଉଁଠୁ ଆଣୁଥିଲେ ଏବଂ କାହାକୁ ଦେଉଥିଲେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ବିଭାଗ ।