ଚୀନ୍‌ରେ ପୁଣି ବଢୁଛି କରୋନା ସଂକ୍ରମଣ, ଜାରି ହେଲା ଲକ୍-ଡାଉନ୍

ବେଜିଂ : (ସଂକେତ୍ ଟିଭି) ବିଶ୍ୱରେ କରୋନା ଭାଇରସ ମାମଲା ହ୍ରାସ ହୋଇଆସୁଛି । ହେଲେବି ଓମିକ୍ରନ ଭାରିଏଣ୍ଟର ଭୟ ସର୍ବଦା ରହୁଛି । ଚୀନ୍‌ରୁ ଆସୁଥିବା ଖବରରୁ ଏଠାରେ ଓମିକ୍ରନର ଏକ ଉପ ଭାରିଏଣ୍ଟ ସାମ୍ନାକୁ ଆସିଛି । କରୋନା ଭାଇରସ ସମ୍ପର୍କିତ ଭାରିଏଣ୍ଟରେ ଓମିକ୍ରନକୁ ବିପଦଜନକ ମନେ କରାଯାଉଛି । ଏବେ ଚୀନ୍‌ରେ ଓମିକ୍ରନର ୨ ନୂଆ ସବ ଭାରିଏଣ୍ଟ ବି.ଏଫ-ସେଭେନ ଓ ବି.ଏ.୫.୧.୭ ଚିହ୍ନଟ ହୋଇଛି । ଯାହା ଅତ୍ୟାଧିକ ସଂକ୍ରାମକ ବୋଲି କୁହାଯାଇଛି ।

ତେବେ ଚୀନ ସରକାର ବଢୁଥିବା କରୋନା ସଂକ୍ରମଣକୁ ଦେଖି କିଛି ସହରରେ ଲକ୍ ଡାଉନ ଘୋଷଣା କରିଥିବାବେଳେ ଗମନାଗମନ କ୍ଷେତ୍ରରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

ଚୀନ୍ ୱେବସାଇଟ୍ ଗ୍ଲୋବାଲ ଟାଇମ୍ସ ଅନୁସାରେ ଲୋକାଲ ଡିଜିଜ ପ୍ରିଭେନସନ ଏଣ୍ଡ କଣ୍ଟ୍ରୋଲ ସେଣ୍ଟରର ଉପନିର୍ଦ୍ଦେଶକ ଲି ଶୁଜିୟାନ ଏହି ଅତ୍ୟାଧିକ ସଂକ୍ରାମକ ଭାଇରସକୁ ପ୍ରଥମେ ଉତ୍ତର-ପଶ୍ଚିମ ଚୀନରେ ଚିହ୍ନଟ ହୋଇଥିବା କହିଛନ୍ତି । ତେବେ ବି.ଏ.୫.୧.୭କୁ ପ୍ରଥମ ଥର ଚୀନ୍‌ର ମୁଖ୍ୟ ଅଞ୍ଚଳରୁ ଚିହ୍ନଟ କରାଯାଇଥିବା ସୂଚିତ କରିଛନ୍ତି । ଉତ୍ତର ଚୀନ୍‌ ପ୍ରାନ୍ତ ଶାନଡୋଙ୍ଗର ଅଧିକାରୀମାନେ ୪ ଅକ୍ଟୋବରରୁ ସ୍ଥାନୀୟ ସ୍ତରରେ ବଢୁଥିବା ନୂଆ ମାମଲା ଲାଗି ବି.ଏଫ.୭ ଭାରିଏଣ୍ଟକୁ ବଡ଼ କାରଣ ବୋଲି କହିଛନ୍ତି ।

ଏହା ପୂର୍ବରୁ ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କରୋନାର ଅତ୍ୟାଧିକ ସଂକ୍ରାମକ ବିଏଫ.୭ ନେଇ ଚେତାବନୀ ଜାରି କରିସାରିଛନ୍ତି । ଜନୈକ ପ୍ରଫେସରଙ୍କ ସ୍ୱାସ୍ଥ୍ୟ ଆଧାରିତ ସମ୍ୱାଦପତ୍ର ରିପୋର୍ଟକୁ ଆଧାର କରି ଗ୍ଲୋବାଲ ଟାଇମସ ରିପୋର୍ଟରେ ସମୟ ପୂର୍ବରୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆନଗଲେ ସବ ଭାରିଏଣ୍ଟ ବିଏଫ.୭ଭୀଷଣ ରୂପ ନେଇପାରେ ବୋଲି ଆଶଙ୍କା କରାଯାଇଛି । କରୋନାକୁ ନେଇ ଚୀନ୍ କଡ଼ା ନୀତି ଅବଲମ୍ୱନ କରୁଛି । ଏଣୁ ଚୀନ୍ ପୁଣି ଥରେ ନିଜ କୋଭିଡ ନୀତି ସହିତ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ଆହ୍ୱାନ ଦେଇଛି । ଚୀନ୍‌ରେ ଅଗଷ୍ଟ ପରେ ନୂଆ କରୋନା ମାମଲା ଉଚ୍ଚତମ ସ୍ତରକୁ ପହଞ୍ଚିଛି ।