ସମୁଦ୍ରରେ ୧୫ କିଲୋମିଟର ପହଁରି ପହଁରି ଭାରତ ପଳାଇ ଆସିଲା ଶ୍ରୀଲଙ୍କା ନାଗରିକ

ରାମେଶ୍ବରମ୍ : (ସଂକେତ୍ ଟିଭି) ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରୁ ଲୋକେ ଲୁଚି ଭାରତ ପଳାଇ ଆସୁଛନ୍ତି । ଏଥିରେ ଅନେକ ଲୋକ ସଫଳ ହେଉଥିବା ବେଳେ ଭାରତରେ ସେମାନଙ୍କୁ ଥଇଥାନ କେନ୍ଦ୍ରରେ ଶରଣ ଦିଆଯାଇଛି । ଏହି କ୍ରମରେ ଶ୍ରୀଲଙ୍କାରୁ ଲୁଚି ଭାରତ ପଳା ଆସୁଥିବା ଜଣେ ବ୍ୟକ୍ତି ଶ୍ରୀଲଙ୍କା ଅଧିକାରୀଙ୍କୁ ଚକମା ଦେଇ ସମୁଦ୍ରରେ ୧୫ କିଲୋମିଟର ପହଁରି ପହଁରି ଶେଷରେ ଭାରତ ପହଞ୍ଚି ଯାଇଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଶ୍ରୀଲଙ୍କାର ଜନୈକ ନାଗରିକକୁ ରବିବାର ରାମନାଥ ପୁରମ ଜିଲ୍ଲା ମଣ୍ଡପମ କ୍ୟାମ୍ପରୁ କଷ୍ଟଡିରେ ନିଆଯାଇଛି । ୨୪ ବର୍ଷିୟ ଯୁବକଙ୍କୁ ଶ୍ରୀଲଙ୍କା ମନ୍ନାରର କସାଂକନ ରବିଚନ୍ଦ୍ରନ ରୂପେ ଚିହ୍ନଟ କରାଯାଇଛି । ତାଙ୍କୁ ଏବେ ପଚରା ଉଚରା କରାଯାଉଥିବା ବେଳେ ସେ କିପରି ଶ୍ରୀଲଙ୍କା ଅଧିକାରୀଙ୍କୁ ଚକମା ଦେଇ ଭାରତୀୟ ସମୁଦ୍ର ସୀମାକୁ ପଶିଥିଲା ସେ ସମ୍ପର୍କରେ ରୋମଟାଙ୍କୁରା କାହାଣୀ କହିଛି ।

ସୂଚନା ଅନୁସାରେ ରବିଚନ୍ଦ୍ରନ ଅନ୍ୟ ୪ ଜଣଙ୍କ ସହ ୮ ଅକ୍ଟୋବର ରାତିରେ ଶ୍ରୀଲଙ୍କାର ତଲ୍ଲାଇ ମନ୍ନାର ତଟରୁ ଏକ ନା ଯୋଗେ ଭାରତ ଉଦ୍ଦେଶ୍ୟରେ ବାହାରିଥିଲା । ଏହି ୫ଜଣିଆ ଅନୁପ୍ରବେଶକାରୀଙ୍କ ନୌକା ଶ୍ରୀଲଙ୍କା-ଭାରତ ଜଳ ସୀମାରେ ଶ୍ରୀଲଙ୍କା ଅଧିକାରୀଙ୍କ ହାବୁଡରେ ପଡିଯାଇଥିଲା । ତେବେ ଶ୍ରୀଲଙ୍କା ଅଧିକାରୀଙ୍କ ହାତରେ ପଡିବା ପୂର୍ବରୁ ରବିଚନ୍ଦ୍ରନ ସମୁଦ୍ରକୁ ଡେଇଁ ପହଁରି ପହଁରି ଭାରତ ଉପକୂଳକୁ ମୁହାଁଇଥିଲା । ଅନୁନ୍ୟ ୬ରୁ ୮ ନଟିକାଲମାଇଲ ପହଁରି ରବିଚନ୍ଦ୍ରନ ଦକ୍ଷିଣ ସୀମାନ୍ତବର୍ତ୍ତି ଭାରତର ରାମନାଥ ପୁରମ ଜିଲ୍ଲା ମଣ୍ଡପମ ସମୁଦ୍ର କୂଳକୁ ପହଞ୍ଚିଥିଲା । ଏଠାରେ ପୋଲିସ ତାଙ୍କୁ ହେପାଜନତକୁ ନେଇ ପଚରା ଉଚରା କରୁଛି ।