ନିଜ ରଣନୀତି ବଦଳାଇଛି କଂଗ୍ରେସ, ବିଜେପି କର୍ମୀଙ୍କୁ ସତର୍କ କରାଇଲେ ମୋଦି

ନୂଆଦିଲ୍ଲୀ: (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ନେଇ ଗୁଜୁରାତର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସତର୍କ କରାଇଛନ୍ତି । ମୋଦି କହିଛନ୍ତି ଯେ, ଗୁଜୁରାଟରେ କଂଗ୍ରେସ ଚୁପଚାପ୍ ନିର୍ବାଚନ ପ୍ରଚାରରେ ଲାଗିଛି । ଏଥିପାଇଁ ବିଜେପିର କାର୍ଯ୍ୟକର୍ତ୍ତା ସତର୍କ ରହିବା ଆବଶ୍ୟକ ।

ମୋଦି କହିଛନ୍ତି ଯେ, ବିରୋଧୀ ଦଳର ଷଡ଼ଯନ୍ତ୍ରର ମୁକାବିଲା କରିବା ପାଇଁ ଶାସକ ଦଳ (ବିଜେପି)କୁ ନିଜ ନିର୍ବାଚନୀ ରଣନୀତିରେ ଆଂଶିକ ପରିବର୍ତ୍ତନ କରିବାକୁ ପଡ଼ିବ । ୩ ଦିନିଆ ଗୁଜୁରାତ ଗସ୍ତରେ ଯାଇ ଆନନ୍ଦ ଜିଲ୍ଲାର ବଲ୍ଲଭ ବିଦ୍ୟାନଗରରେ ଏକ ବିଜେପି ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଗୁଜୁରାଟରେ ଆସନ୍ତା କିଛି ମାସ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କଂଗ୍ରେସ ଗୁଜୁରାଟରେ ଏଥର ନିଜ ରଣନୀତି ବଦଳାଇ ନେଇଛି । ମୁଁ ଆପଣଙ୍କୁ ସତର୍କ କରି ଦେବାକୁ ଚାହୁଁଛି କାରଣ ମୋତେ ଲାଗୁଛି ଯେ ଏଥର କଂଗ୍ରେସ ଏକ ନୂତନ ରଣନୀତି ଆପଣେଇଛି । ମୁଁ ଚେକ୍ କରିନାହିଁ, ତଥାପି ମୁଁ ଭାବୁଛି ଏହା ହେଉଛି ତାଙ୍କ ରଣନୀତି ।

ମୋଦି କହିଛନ୍ତି ଯେ, ପୂର୍ବ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବହୁତ ହଇଚଇ କରୁଥିଲା ଓ ବିଜେପିକୁ ସଫା କରିବାକୁ ଦମ୍ଭ ଭରୁଥିଲା । କିନ୍ତୁ ୨୦ ବର୍ଷ ମଧ୍ୟରେ ଆମେ ହାରି ନାହୁଁ, ତେଣୁ ସେ କିଛି ନୂଆ କରୁଛି । ସେଥିପାଇଁ ଆମକୁ ସତର୍କ ରହିବା ଆବଶ୍ୟକ । ସେ ଆଗକୁ କହିଛନ୍ତି ଯେ, କଂଗ୍ରେସ ଖୋଲାଖୋଲି ଭାବେ କିଛି କହୁନାହିଁ, ବରଂ ଗ୍ରାମକୁ ଯାଇ ନିଜର ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ପ୍ରଭାବିତ କରିବାର ପୁରୁଣା କୌଶଳ ଆପଣେଇଛି । ସେମାନେ (କଂଗ୍ରେସ ନେତା) ଖବରରେ ଦେଖାଯାଉ ନାହାଁନ୍ତି, ନା ସାମ୍ବାଦିକ ସମ୍ମିଳନୀ କରୁଛନ୍ତି କିମ୍ବା ନା ଭାଷଣ ଦେଉଛନ୍ତି । ଏଥିପାଇଁ ଭ୍ରମିତ ହୁଅନ୍ତୁ ନାହିଁ । ସେ (କଂଗ୍ରେସ) କହୁନାହିଁ, କିନ୍ତୁ ସେ ଗ୍ରାମଗୁଡିକରେ ପହଞ୍ଚୁଛି, ବୈଠକ କରୁଛି ।