ଫିଟନେସ୍ ଟେଷ୍ଟ ପାସ୍ କଲେ ମହମ୍ମଦ ଶାମି, ଟି-୨୦ ବିଶ୍ଵ କପ୍ ଖେଳିବା ପାଇଁ ଯିବେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: : (ସଂକେତ୍ ଟିଭି) ଦ୍ରୁତ ବୋଲର ମହମ୍ମଦ ଶାମି ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଶୀଘ୍ର ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବେ। ସେ ଭାରତର ରାଜର୍ଭ ଖେଳାଳିଙ୍କ ସହିତ ଅଷ୍ଟ୍ରେଲିଆ ଯିବେ। ଏଥିରେ ମହମ୍ମଦ ସିରାଜ୍ ମଧ୍ୟ ସାମିଲ୍।

ସୂଚନା ଅନୁଯାୟୀ, ମହମ୍ମଦ ଶାମି ଆଜି ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ପୂର୍ବରୁ ସେ କୋଭିଡ୍‌ରୁ ସୁସ୍ଥ ହୋଇଥିଲେ। ଶାମି ଶ୍ରେୟସ ଆୟର, ରବି ବିଷ୍ନୋଇ ଏବଂ ମହମ୍ମଦ ସିରାଜଙ୍କ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ। ବିସିସିଆଇକୁ ବି ଶୀଘ୍ର ଯଶପ୍ରୀତ ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିବାର ଅଛି। ତେବେ ଦେଖିବାକୁ ବାକି ରହିଲା ଯେ, ବୁମରାଙ୍କ ସ୍ଥାନରେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କ ମଧ୍ୟରୁ କାହାକୁ ଦଳରେ ସ୍ଥାନ ମିଳୁଛି।

ଏମିତିରେ ରିଜର୍ଭ ଖେଳାଳିଙ୍କ ତାଲିକାରେ ବ୍ୟାଟସମ୍ୟାନ ଶ୍ରେୟସ ଆୟର, ସ୍ପିନର ରବି ବିଷ୍ନୋଇ, ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଦୀପକ ଚହରଙ୍କ ନାମ ସାମିଲ୍ ଥିଲା। ତେବେ ଟି-୨୦ ସିରିଜ୍‌ରେ ଆହତ ହୋଇଛନ୍ତି ଦୀପକ ଚହର। ଏପରିକି ତାଙ୍କୁ ଦିନିକିଆ ସିରିଜ୍‌ରୁ ବାଦ୍ ଦିଆଯାଇଥିଲା। ଅନ୍ୟପକ୍ଷେ ଦିନିକିଆ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ବୋଲିଂ କରି ମହମ୍ମଦ ସିରାଜ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ଶୃଙ୍ଖଳା ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।